୧୪୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭମେଳା । ଆସ୍ଥା ଏବଂ ଆଧ୍ୟାତ୍ମର ଯୁଗଳବନ୍ଦୀ ଭିତରେ ବୁଡ଼ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥ । ମହାକୁମ୍ଭର ସାକ୍ଷୀ ହେବା ପାଇଁ ଅନେକ ବାବା , ସାଧୁଙ୍କ ମେଳ ଜମିଛି ପ୍ରୟାଗରାଜର ସଙ୍ଗମ ତଟରେ । ଏହି ମେଳାକୁ ଆସିଥିବା ଅନେକ ବାବା ଏବେ ଗଣମାଧ୍ୟମର ପ୍ରଥମ ପୃଷ୍ଠାକୁ ଅଳଙ୍କୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଇଆଇଟି ବାବା ।
ଜଣେ ଯୁବକ ଯାହାଙ୍କ ନାଁ ଅଭୟ ସିଂ , ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି କିନ୍ତୁ ଏବେ ଆଧ୍ୟାତ୍ମିକ ମାର୍ଗର ପଥିକ ହୋଇ ମହାକୁମ୍ଭମେଳାକୁ ଚାଲିଆସିଛନ୍ତି । ଜଟିଳ ଆଧ୍ୟାତ୍ମିକ ବାର୍ତ୍ତାକୁ ସଂଖ୍ୟା ଏବଂ ଚିହ୍ନର ମାପଦଣ୍ଡରେ ସରଳ କରି ବୁଝାଉଛନ୍ତି । ଆଇଆଇଟିଆନ୍ ବାବାଙ୍କ ବାର୍ତ୍ତାକୁ କେହି କେହି ବୁଝିପାରୁଛନ୍ତି , ଆଉ କାହା ମୁଣ୍ଡ ଉପରୁ ଚାଲିଯାଉଛି ଆଧ୍ୟାତ୍ମିକତାର ଗହ୍ବର ଜ୍ଞାନ । ହରିୟାଣାରୁ ଆସିଥିବା ଏ ବାବା ନିଜ ନିଆରା ଦୃଷ୍ଟିକୋଣର ଜାଲରେ ମହାକୁମ୍ଭକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି । ବିଭିନ୍ନ ଟିଭି ସାକ୍ଷାତକାରରେ ସେ ଜୀବନରୁ ଯୌବନ ପର୍ୟ୍ୟନ୍ତ ସବୁରି କଥାକୁ ଟିକନିଖ୍ କରି କହୁଛନ୍ତି । ଏମିତିକି ଏକ ଇଣ୍ଟରଭ୍ୟୁରେ ପ୍ରେମକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା , ଯେଉଁଥିରେ ସେ କହିଥିଲେ ୪ ବର୍ଷ ଧରି ସେ ଜଣେ ଯୁବତୀଙ୍କ ସହ ରିଲେସନସିପ୍ ରେ ଥିଲେ । କିନ୍ତୁ ପରିବାରର କୁପ୍ରଭାବ କେମିତି ତାଙ୍କ ପ୍ରେମ ଉପରେ ପଡ଼ିଲା ଏନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି ।
ଆଇଆଇଟିଆନ୍ ବାବାଙ୍କ କହିବାନୁସାରେ , ପିଲାଟି ବେଳୁ ତାଙ୍କ ପରିବାରରେ ପିତା,ମାତାଙ୍କ ଭିତରେ ଝଗଡ଼ା ହେଉଥିଲା ଯାହାର ପ୍ରଭାବ ତାଙ୍କ ପାଠପଢା ଉପରେ ମଧ୍ୟ ପଢୁଥିଲା। ସେ ଏହାକୁ ନେଇ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଥିଲେ । ଫିଲ୍ମ ପରେ ସେ କିଛି ସମୟ ପାଇଁ ଟ୍ରୋମାରେ ଚାଲିଯାଇଥିଲେ । ଯାହାପରେ ତାଙ୍କୁ କିଛି ଅନୁଭବ ହେବା ହିଁ ବନ୍ଦ ହୋଇଗଲା । ବିବାହ , ପରିବାର , ସନ୍ତାନ ଉପରୁ ଅଭୟଙ୍କ ଯେମିତି ମୋହ ଉଠିଗଲା । ସେ ଏକଥାକୁ ନିଜ ପ୍ରେମିକାଙ୍କୁ ଜଣାଇଲେ ଏବଂ ଦୁଇଜଣଙ୍କ ମ୍ୟୁଚୁଆଲ୍ ଅଣ୍ଡରଷ୍ଟାଣ୍ଡିଙ୍ଗରେ ବ୍ରେକଅପ୍ ହେଲା । ଅଭୟ କୁହନ୍ତି , ମୋ ମହିଳାବନ୍ଧୁଙ୍କ ବିବାହ ସରିଛି ।
ଯେତେବେଳେ ବାବାଙ୍କୁ ପଚରାଗଲା ଯେ ସେ କାହିଁକି ଇଞ୍ଜିଂନିୟରିଂ ପାଠପଢା ଛାଡ଼ିଲେ ଏହାର ଉତ୍ତରରେ ସେ କହିଲେ , ‘ମୁଁ ପ୍ରଥମେ ଆଇଆଇଟିରେ ଆଡ଼ମିଶନ୍ ନେଲି , ଇଞ୍ଜିଂନିୟରିଂ ପାଠ ପଢିଲି , ଇଞ୍ଜିଂନିୟରିଂରୁ ଆର୍ଟ ପ୍ରତି ଆଗ୍ରହ ବଢିଲା କିନ୍ତୁ ଆର୍ଟ ବି ମତେ ବେଶି ଦିନ ବାନ୍ଧି ରଖିପାରିଲାନାହିଁ । ଲଗାତାର ମୋ ମସ୍ତିଷ୍କ ମତେ କିଛି ନୂଆ ଦିଗ ଆଡ଼କୁ ଯିବାକୁ ବାଧ୍ୟ କଲା ଏବଂ ଶେଷରେ ଚାଲି ଚାଲି ମୁଁ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଲି ଏବଂ ସତ୍ୟ ସହ ମୋର ସାମ୍ନା ହେଲା । ମୋ ମନରେ ଜ୍ଞାନର ବୁଡ଼ ପକାଇବାକୁ ଜିଜ୍ଞାସା ଥିଲା , ସଂସ୍କୃତ ଭାଷା ଏତେ ମାଧୂର୍ୟ୍ୟ କାହିଁକି , ଏମିତି କ’ଣ ଏ ଭାଷାରେ ରହିଛି ଯାହା ସଂସ୍କୃତକୁ ମର୍ୟ୍ୟାଦାର ମୁକୁଟ ପିନ୍ଧାଉଛି । ଏହା ଭାବି ମୁଁ ଶାସ୍ତ୍ର , ଶୂନ୍ୟ , ଈଶ୍ବରବାଣୀକୁ ଜାଣିବା ପାଇଁ ଆଗଭର ହେଲି ।’
ଅଭୟରୁ ଆଇଆଇଟିଆନ୍ ବାବା ହୋଇଥିବା ଏ ଯୁବ ସନ୍ଥଙ୍କ ପରିବାର ପ୍ରତି ବିତୃଷ୍ଣା ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ହିଁ ସମାଜକୁ ବାର୍ତ୍ତା ଦେଉଛି ଯେ ପିଲାଙ୍କ ଆଗରେ ଭଲ ପରିବେଶ ନ ରଖିଲେ ଏହାର ପରିଣତି ବୋଧହୁଏ ପିଲାଙ୍କ ଭବିଷ୍ୟତର ଦିଗକୁ ବୁଲାଇବାରେ ମଉକା ସୃଷ୍ଟି କରିବ ।