ମହାକୁମ୍ଭ ଚାଲିଛି ପ୍ରୟାଗରାଜରେ କିନ୍ତୁ ଭକ୍ତିର ବୁଡ଼ ପଡୁଛି ସାରା ବିଶ୍ବରେ । ସାଧୁସନ୍ଥଙ୍କ ସଙ୍ଗମ , ଲକ୍ଷାଧିକ ଭକ୍ତଙ୍କ ବୁଡ଼ରେ ମୁଖରିତ ହୋଇଉଠିଛି ସଙ୍ଗମ ନଗରୀ ପ୍ରୟାଗରାଜ । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି । ମହାକୁମ୍ଭର ମର୍ଯ୍ୟାଦାକୁ ଦ୍ବିଗୁଣିତ କରୁଛନ୍ତି । କିନ୍ତୁ ଏହି ପବିତ୍ରତାର ଛିଟା ବିଶ୍ବର କୋଣଅନୁକୋଣରେ ଯେମିତି ବିଛେଇ ହୋଇପଡ଼ିଛି କେତେବେଳେ କେଉଁ ବାବାଙ୍କୁ ନେଇ ଚର୍ଚ୍ଚା ହେଉଛି ତ ଆଉ କେତେବେଳେ ଭକ୍ତଙ୍କ ଆସ୍ଥାକୁ ନେଇ ଚର୍ଚ୍ଚା ଚାଲିଛି । ଏହି କିଛି ଦିନ ତଳେ ଜଣେ ଆଇଆଇଟିଆନ୍ ଏରୋସ୍ପେସ୍ ଇଞ୍ଜିନିୟର୍ କେମିତି ମୋଟାଅଙ୍କର ଦରମା ଛାଡ଼ି ଆଧ୍ୟାତ୍ମିକ ମାର୍ଗର ପଥିକ ପାଲଟିଲେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା ।
ବିଳାସପୂର୍ଣ୍ଣ ଜୀବନକୁ ଛାଡ଼ି ଜଣେ ଆଧ୍ୟାତ୍ମିକର ଜଟିଳ ମାର୍ଗକୁ କେମିତି ବାଛିପାରିବ ବୋଲି ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିଲା । ଏହାକୁ ନେଇ ଆଇଆଇଟିଆନ୍ ବାବା ଅଭୟ ସିଂକୁ କିଏ ମାନସିକ ସ୍ଥିତି ଠିକ୍ ନଥିବା କଥା କହିଲେ ତ ଆଉ କିଏ ବିଜ୍ଞଙ୍କ ସଙ୍ଗେ ଗଣନା କଲେ । କିନ୍ତୁ ଆଧ୍ୟାତ୍ମିକ ମାର୍ଗ ହିଁ କିଛି ସେମିତି ଆଜ୍ଞା ପରଂବ୍ରହ୍ମ ସହ ଯୋଡ଼େ ଆଉ ସମାଜ , ସଂପର୍କରେ ବନ୍ଧା ମାୟାର ସୂତାକୁ ଛିଣ୍ଡାଇ ବାହାରକୁ ଫୋପାଡେ । ସମାଜ ଅଭୟ ସିଂଙ୍କ ପାଠପଢା ଏବଂ ତାଙ୍କ ଆଧ୍ୟାତ୍ମିକତା ଉପରେ ପ୍ରଶ୍ନ ଉଠାଇଲା କିନ୍ତୁ ଏହି ଆଇଆଇଟିଆନ୍ ବାବାଙ୍କ ଗୁରୁଙ୍କ ବିଷୟରେ ଜାଣିଲେ କାବା ହେବ ନିଶ୍ଚୟ । ଶିଷ୍ୟ ତ ଶିଷ୍ୟ ଗୁରୁଙ୍କ କ୍ବାଲିଫିକେସନ୍ ଜାଣିଲେ ଯେ କେହିବି ହକ୍କାବକ୍କା ରହିବେ ।
ଦେଢମାସ ତଳେ କାଶୀର ଘାଟରେ ଅଭୟ ସିଂ ଆଧ୍ୟାତ୍ମିକ ମାର୍ଗର ସନ୍ଧାନରେ ଏଣେତେଣେ ବୁଲୁଥିଲେ । ଗନ୍ତବ୍ୟର ଆଭାସ ତ ଥିଲା କିନ୍ତୁ ମାର୍ଗ ଦେଖାଇବା ପାଇଁ ଗୁରୁ ଚୟନ କରିପାରୁନଥିଲେ ଅଭୟ । ସେତେବେଳେ ଅଚାନକ ଜୁନା ଆଖଡ଼ାର ସନ୍ଥ ସୋମେଶ୍ବର ଗିରିଙ୍କ ସହ ଏହି ଆଇଆଇଟିଆନ୍ ଇଞ୍ଜିନିୟରଙ୍କ ଭେଟ ହୋଇଥିଲା । ଅଭୟଙ୍କ ସହ କଥାବାର୍ତ୍ତା ହେଲା ପରେ ସୋମେଶ୍ବର ଗିରି ବାବା ତାଙ୍କୁ ଶିଷ୍ୟ କରିବା ପାଇଁ ମନସ୍ତ କରିଥିଲେ ।
ଆପଣ ଜାଣିଲେ ଚକିତ ହେବେ ସୋମେଶ୍ବର ଗିରି ବାବା ଇଣ୍ଡିଆନ୍ ଏୟାରଫୋର୍ସ ପାଇଁ ଏରିୟଲ୍ ଫୋଟୋଗ୍ରାଫିର ସେବା ଯୋଗାଇଛନ୍ତି । ସେନା ପାଇଁ କାମ କରୁଥିବା ସୋମେଶ୍ବର ଶତ୍ରୁଦେଶରେ ଗୁପ୍ତରେ ଫଟୋଗ୍ରାଫି କରିବାକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚିତ । ତେବେ ଉଭୟ ଗୁରୁ ଏବଂ ଶିଷ୍ୟଙ୍କ ନିଶା ଫଟୋଗ୍ରାଫି ଥିବାରୁ ଏହି କଥା ହିଁ ଦୁହିଁଙ୍କୁ ଏକାଠି କରିଥିଲା ।
ପରେ ଦୁହେଁ ଏକାଠି ରହିଲେ ଏହି ସମୟରେ ଅନେକ ସାଧୁସନ୍ଥ , ଅଘୋରୀ , ନାଗାଙ୍କ ସଂସ୍ପର୍ଶରେ ଆସି ଅଭୟ ଭକ୍ତିମାର୍ଗର ଆଉ ଏକ ସୋପାନକୁ ଅଗ୍ରସର ହେଲେ । ସୋମେଶ୍ବର ଗିରି ବାବାଙ୍କ ଘର କର୍ଣ୍ଣାଟକରେ ହୋଇଥିବା ବେଳେ ଚାକିରି ଛାଡ଼ିବା ପରେ ସେ କାଶୀ ସ୍ଥିତ ଜୁନା ଆଖଡାକୁ ଚାଲିଆସିଲେ ଏବଂ ସେଠାରେ ରହି ଆଧ୍ୟାତ୍ମିକ ମାର୍ଗର ସନ୍ଧାନରେ ରହିଲେ । ମହାକୁମ୍ଭରେ ଆଇଆଇଟି ବାବାଙ୍କ ଚର୍ଚ୍ଚା ହେବା ପରେ ଏବେ ତାଙ୍କ ଗୁରୁଙ୍କ କର୍ମମୟ ଜୀବନକୁ ନେଇ ଭାରି ଚର୍ଚ୍ଚା ହେଉଛି ।