କନକ ବ୍ୟୁରୋ : ଦୀପାବଳିରେ ପରିବେଶ ପ୍ରଦୂଷଣ, ବିଶେଷକରି ବାୟୁ ପ୍ରଦୂଷଣ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ କଟକଣାକୁ ବେଖାତିର । ଦୀପାବଳିରେ ସବୁଜ ବାଣ ବଦଳରେ ଲୋକମାନେ ମନଇଚ୍ଛା ବାଣ ଫୁଟାଇବାରୁ ଅଣନିଃଶ୍ବାସୀ ହୋଇଉଠିଛି ଦିଲ୍ଲୀ । ଲୋକଙ୍କ ଆଖି ପୋଡୁଥିବା ବେଳେ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି।
ମଙ୍ଗଳବାର ସକାଳୁ ଦିଲ୍ଲୀ ଆକାଶ ଥିଲା ଧୂଆଁମୟ । ଦୃଶ୍ୟମାନ ଦୂରତା ହ୍ରାସ ସହ ଲୋକଙ୍କ ଆଖି ପୋଡୁଥିଲା। ମଙ୍ଗଳବାର ଦିଲ୍ଲୀ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ଥିଲା ୩୬୦ । ଏହା ଅତି ଖରାପ ସ୍ଥିତିର ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଦେଇଛି। ଯାନବାହନରୁ ନିର୍ଗତ ଧୂଆଁ ଯୋଗୁ ଅଧିକାଂଶ ସମୟରେ ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ହେଉଥିବା ବେଳେ ଦୀପାବଳି ଏହି ବିପଦକୁ ବଢ଼ାଇ ଦେଇଛି। ଅତ୍ୟଧିକ ପ୍ରଦୂଷଣକାରୀ ବାଣ ବଦଳରେ ସବୁଜ ବାଣ ବ୍ୟବହାର ପାଇଁ ସୁପ୍ରିମକୋର୍ଟ କହିଥିଲେ। କିନ୍ତୁ ଏହା କଡ଼ାକଡ଼ି ଭାବରେ ପାଳନ କରାଯାଇନାହିଁ। ଏଥିପାଇଁ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଛି।
ଯାନବାହନରୁ ନିର୍ଗତ ଧୂଆଁ ସାଙ୍ଗକୁ ଦିଲ୍ଲୀ ଆଖପାଖ ଅଞ୍ଚଳରେ ନାଡ଼ାପୋଡି ସ୍ଥିତିକୁ ଆହୁରି ଜଟିଳ କରୁଛି। ଦୀପାବଳି ବେଳେ ବାୟୁ ପ୍ରଦୂଷଣ ନେଉଛି ଚରମ ରୂପ। ୨୦୨୦ରୁ ଦିଲ୍ଲୀରେ ଶବ୍ଦ ସୃଷ୍ଟିକାରୀ ବାଣ ନିଷେଧ କରାଯାଉଛି। କିନ୍ତୁ ତାହା ଠିକ୍ ଭାବରେ ପାଳନ କରାଯାଉନାହିଁ। ଏବର୍ଷ ମଧ୍ୟ ବିଭିନ୍ନ ବାଣ ଦୋକାନରେ ଏଭଳି ବାଣ ବିକ୍ରି ହୋଇଥିଲା ଏବଂ ଲୋକ ମନଇଚ୍ଛା କିଣିଥିଲେ। ସୁପ୍ରିମକୋର୍ଟଙ୍କ କଟକଣା ପାଳନ ପାଇଁ ଲୋକ ଆଗ୍ରହ ଦେଖାଇ ନଥିଲେ କି ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇନଥିଲା। ଏହାର କୁପରିଣାମ ସ୍ବରୂପ ସ୍ବାସ୍ଥ୍ୟ ପ୍ରତି ଆଶଙ୍କା ଦେଖାଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/21/1-2025-10-21-20-50-47.jpg)