ଇସ୍ପାତ ଜେନେରାଲ ହସ୍ପିଟାଲ ଦ୍ୱାରା ଅଞ୍ଚଳର ପ୍ରଥମ ୩୬୦ ଡିଗ୍ରୀ ସର୍ଭିକାଲ୍ ସ୍ପାଇନ୍ ସଫଳ ଅସ୍ତ୍ରୋପଚାର

ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଅଧ୍ଵନସ୍ଥ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ) ସଫଳତାର ସହ ଅଞ୍ଚଳର ପ୍ରଥମ ୩୬୦ ଡିଗ୍ରୀ ସର୍ଭିକାଲ୍ ସ୍ପାଇନ୍ ଅସ୍ତ୍ରୋପଚାର ସମ୍ପନ୍ନ କରିଛି

Rourkela hospital

କନକ ବ୍ୟୁରୋ: ସେଲ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଅଧ୍ଵନସ୍ଥ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ) ସଫଳତାର ସହ ଅଞ୍ଚଳର ପ୍ରଥମ ୩୬୦ ଡିଗ୍ରୀ ସର୍ଭିକାଲ୍ ସ୍ପାଇନ୍ ଅସ୍ତ୍ରୋପଚାର ସମ୍ପନ୍ନ କରିଛି, ଯାହା ଉନ୍ନତତର ନ୍ୟୁରୋସର୍ଜିକାଲ୍ ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ । ଜୁନ୍ ୧୧ ତାରିଖରେ ସଡ଼କ ଦୁର୍ଘଟଣାରେ ଗୁରୁତର ମେରୁଦଣ୍ଡ ଆଘାତ ପାଇଥବା ଝାଡ଼ଖଣ୍ଡର ଜଣେ ୨୩ ବର୍ଷୀୟ ଯୁବକଙ୍କ ଠାରେ ଏହି ବିରଳ ଏବଂ ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚକୁ ଆଣିଥିଲେ ଏବଂ ସେ ନନ-ଏଣ୍ଟାଇଟେଲ୍ଟ କ୍ୟାସ୍  ବର୍ଗରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସପିଟାଲରେ ଭର୍ତ୍ତି ହେବା ସମୟରେ, ସେ ତାଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଅକ୍ଷମ ରହିବା ସହ ସମସ୍ତ ଚାରୋଟି ଅଙ୍ଗ ସମ୍ପୂର୍ଣ୍ଣ କ୍ଷୀଣ ଦୁର୍ବଳ ଥିଲା । ସେ ବସି ପାରୁନଥିଲେ ଏବଂ ବେକ ଓ ଶରୀରରେ ତୀବ୍ର ଯନ୍ତ୍ରଣା ଅନୁଭବ କରୁଥିଲେ ।

ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର ବରିଷ୍ଠ ପରାମର୍ଶଦାତା ତଥା ନ୍ୟୁରୋସର୍ଜରି ବିଶେଷଜ୍ଞ ଡାକ୍ତର ମନୋଜ କୁମାର ଦେଓଙ୍କ ନେତୃତ୍ୱରେ ଏକ ବ୍ୟାପକ କ୍ଲିନିକାଲ୍ ମୂଲ୍ୟାଙ୍କନରୁ ତାଙ୍କର ସି ୪, ସି ୫ ସର୍ଭିକାଲ୍ ସ୍ପାଇନ୍‌ର ଗ୍ରେଡ୍ ୨ ଡିସଲୋକେସନ୍ ସହିତ ଏକ ଜୀବନ ପ୍ରତି ବିପଦ ଥିଲା । ଯଦି ଏହାର ତୁରନ୍ତ ଚିକିତ୍ସା କରା ନଯାଏ ତେବେ ହାଡ଼ର ସ୍ଥାନଚ୍ୟୁତି ସହ ସବୁଦିନ ପାଇଁ ପକ୍ଷାଘାତ, ଶ୍ଵାସକ୍ରିୟାରେ ଅସୁବିଧା ଥିଲା । ରୋଗୀଙ୍କ ମାଆ ଏବଂ ବଡ଼ ଭାଇଙ୍କ ସହିତ ସର୍ବିସ୍ତୃତ ପରାମର୍ଶ ସହ ସେମାନଙ୍କ ସମ୍ମତି ପାଇବା ପରେ, ଏକ ଉଚ୍ଚ-ବିପଦଯୁକ୍ତ ଅସ୍ତ୍ରୋପଚାର ସମ୍ପନ୍ନ କରାଯାଇଥିଲା । ଡକ୍ଟର ଦେଓ, ଏକ ବହୁମୁଖୀ ଚିକିତ୍ସା ଦଳର ସହଯୋଗରେ ପ୍ରାୟ ୯ ଘଣ୍ଟା ଧରି ଆଭ୍ୟନ୍ତରୀଣ ଓ ବହିଃପାର୍ଶ୍ୱରୁ ଏକ ଜଟିଳ ମେରୁଦଣ୍ଡ ସ୍ଥିରୀକରଣ ଅସ୍ତ୍ରୋପଚାର ସଫଳତାର ସହ ସମ୍ପାଦନ କରିଥିଲେ । ଆନାସ୍ଥେସିଆ ଏବଂ ଆଇସିୟୁର ଅତିରିକ୍ତ ସିଏମଓ ଡକ୍ଟର ସଞ୍ଜୁକ୍ତା ପାଣିଗ୍ରାହୀ ଏବଂ ଆନାସ୍ଥେସିଆର ବରିଷ୍ଠ ପରାମର୍ଶଦାତା ଡକ୍ଟର ସ୍ମିତା କୁଜୁର ଆନାସ୍ଥେସିଆରେ ସହଯୋଗ କରିଥିଲେ । ଅପରେସନ ଥିଏଟରକୁ ବ୍ରଦର କମଳାକର ଏବଂ ସିଷ୍ଟର ଲିପିଆ ପରିଚାଳନା କରିଥିବା ବେଳେ ଅସ୍ତ୍ରୋପଚାର ପରର ଯନ୍ ସିଷ୍ଟର ଗୌରୀ, ସିଷ୍ଟର ସସ୍ମିତା, ସିଷ୍ଟର ଏକତା ଏବଂ ଅନ୍ୟ ନସିଂ ଷ୍ଟାଫ୍ ନେଇଥିଲେ ।

ରୋଗୀ ଆର୍ଥିକ ଦୁର୍ବଳଶ୍ରେଣୀର ହୋଇଥିବାକୁ ଦୃଷ୍ଟିରେ ରଖୁ, ଅମୃତ ଫାର୍ମାସି ମାଧ୍ୟମରେ ସବସିଡି ହାରରେ ଆବଶ୍ୟକୀୟ ସର୍ଜିକାଲ ଉପକରଣ ଏବଂ ଜୀବନ ରକ୍ଷାକାରୀ ଔଷଧର ସମୟୋଚିତ ଯୋଗାଣ କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଦେଖା ଦେଇଛି। ଅସ୍ତ୍ରୋପଚାରର ଗୋଟିଏ ସପ୍ତାହ ମଧ୍ୟରେ, ସେ ତାଙ୍କ ଡାହାଣ ଗୋଡ଼ରେ ଗତିଶୀଳତା ଫେରି ପାଇଛନ୍ତି ଏବଂ ଅନ୍ୟ ସମସ୍ତ ଅଙ୍ଗରେ ଶକ୍ତି ବୃଦ୍ଧି ପାଇବା ସହିତ ସେ ବସିବା ଏବଂ ଠିଆ ହେବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ତାଙ୍କ ହସ୍ପିଟାଲରେ ରହଣି ସମୟରେ ସେ ପ୍ରାୟ ୪୦% କାର୍ଯ୍ୟକ୍ଷମ ଉନ୍ନତି ଲାଭ କରିବା ସହିତ ଡାକ୍ତରୀ ତଦାରଖରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏଭଳି ସଫଳ ଜଟିଳ ଡାକ୍ତରୀ ଚିକିତ୍ସା ଏହି ଅଞ୍ଚଳର ଲୋକମାନଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ସେବା ପ୍ରଦାନ କରି ଆଇ ଜି ଏଚ ତାର ପ୍ରତିବଦ୍ଧତାକୁ ଦୋହରାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe