କନକ ବ୍ୟୁରୋ : ପାନ, ଧାନ, ମୀନ ଆମ ବେପାର, ତେଣୁ ପ୍ରସ୍ତାବିତ ବନ୍ଦରକୁ ଧିକାର । ଏମିତି ଲେଖାଥିବା ପ୍ଲା-କାର୍ଡ ଧରି ଜନଶୁଣାଣି ଶିବିରରେ ପ୍ରସ୍ତାବିତ ପ୍ରକଳ୍ପ ବିରୋଧୀଙ୍କ ହଙ୍ଗାମା । କାକଟପୁର-ଅସ୍ତରଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ ବନ୍ଦର ପାଇଁ ଆଜି ଅସ୍ତରଙ୍ଗ ନିକଟ ପିର ଜାହାନିଆ ପିଠରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଆୟୋଜନ ହୋଇଥିଲା । ଜନଶୁଣାଣୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ, ପୁରୀ ଅତିରିକ୍ତ ଏସପିଙ୍କ ସହ ନବଯୁଗ କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ । ଗଣ୍ଡଗୋଳ ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଅସ୍ତରଙ୍ଗ ଛୁରିଅନା ପଞ୍ଚାୟତ ଏବଂ ପାଟବଳଦା ପଞ୍ଚାୟତବାସୀଙ୍କୁ ଆହ୍ଵାନ କରାଯାଇଥିଲା । ଲୋକେ ଆସିଥିଲେ, କିନ୍ତୁ ସେମାନଙ୍କ ହାତରେ ଥିଲା ପ୍ରକଳ୍ପ ବିରୋଧୀ ପ୍ଲା-କାର୍ଡ। ପିର ଜାହାନିଆଁ ଭିଟାମାଟି ସୁରକ୍ଷା ମଞ୍ଚର ନେତୃତ୍ଵରେ ଜନଶୁଣାଣି ଶିବିରରେ ପହଞ୍ଚିଥିଲେ ଶତାଧିକ ଲୋକ ।
ବନ୍ଦର ବିରୋଧୀ ସ୍ଲୋଗାନ ଦେଇ ପ୍ରସ୍ଥାବିତ ବନ୍ଦରକୁ ବନ୍ଦ କରିବାକୁ ଦାବି କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଅନୁରୋଧ ପରେ ଲୋକମାନେ ଜନଶୁଣାଣି ସ୍ଥାନରେ ବସିଥିଲେ ଏବଂ ବନ୍ଦର ବିରୋଧରେ ମନ୍ତବ୍ୟ ଦେଇଥିଲେ । ଜଣେ ସ୍ଥାନୀୟ ଲୋକ ବନ୍ଦର ସପକ୍ଷରେ ମତ ଦେଉଥିବା ବେଳେ ଲୋକମାନେ ତାଙ୍କୁ ତୀବ୍ର ବିରୋଧ କରିଥିଲେ । ଅସ୍ତରଙ୍ଗ ଅଞ୍ଚଳ ହେଉଛି ଏକ ଜୈବ ବିବିଧତାର ଅଞ୍ଚଳ । ଏଠାରେ ନଦୀ ଅଛି, ସମୁଦ୍ର ଅଛି, ଜଙ୍ଗଲ ଅଛି। ଏଠିକାର ଲୋକ ପାନ, ଧାନ ଓ ମୀନ ଉପରେ ଭରସା କରି ପରିବାର ପ୍ରତପୋ।ଣ କରିଥାନ୍ତି। ତେଣୁ ଏଠି ବନ୍ଦର ଦରକାର ନାହିଁ, ମାଆ ମାଟି ଦରକାର ବୋଲି କହିଛନ୍ତି ପ୍ରକଳ୍ପ ବିରୋଧୀ ।