କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ଦେଖାଦେଲାଣି ଜଳ ଯନ୍ତ୍ରଣା । ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକ । କାରଣ ପୁରା ଗାଁ ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ । ସେଥିରୁ ବି ଯେଉଁ ପାଣି ବାହାରୁଛି ତାକୁ ପିଇବା ଅସମ୍ଭବ । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ । 

Advertisment

କପ୍ତିପଦା ବ୍ଳକ ଜଡ଼ିଦା ପଞ୍ଚାୟତ ପଥରଖଣି ଗାଁରେ ବିଣୁଦ୍ଧ ପାଣି ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ୪୦ରୁ ଅଧିକ ପରିବାରର ଶୋଷ ମେଣ୍ଟାଇବା ପାଇଁ ରହିଛି ଗୋଟିଏ ବୋଲି ନଳକୂପ । ତେଣୁ ଘରେ କାମ ଧନ୍ଦା ଛାଡ଼ି ସକାଳୁ ଧାଡ଼ି ଲଗାଇବାକୁ ପଡ଼େ । କାରଣ ନଳକୂପରୁ ବାହାରୁଥିବା ପ୍ରଥମ ବାଲଟିଏ ଦୁଇ ବାଲଟି ପାଣି ହିଁ ଏକ ପ୍ରକାର ବ୍ୟବହାର ଯୋଗ୍ୟ । ତା'ପରେ ନଳକୂପରୁ ଲାଲ ରଙ୍ଗର ପାଣି ବାହରୁଛି। ପାଣି ଉପରେ ତେଲ ଭଳି ଏକ ପରସ୍ତ ବସିଯାଉଛି । ଯାହାକୁ ପିଇ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ପଥରଖଣିବାସୀଙ୍କ ସାହା ଭରସା ନଳକୂପଟି ବି ଅନେକ ସମୟରେ ଅଚଳ ହୋଇଯାଏ । ଫଳରେ ଅନ୍ୟ ସାହିକୁ ଯାଇ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । ସେଠି ବି ଭାଗ୍ୟରେ ଥିଲେ ପାଣି ମିଳେ । ସେହି ସାହିର ଲୋକ ପାଣି ନେଇ ସାରିବା ପରେ ଏମାନଙ୍କୁ ପାଣି ଆଣିବାର ସୁଯୋଗ ମିଳିଥାଏ । ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଖରାପ ପ୍ରକୋପ ବଢ଼ୁଥିବାରୁ ତୁରନ୍ତ ଗାଁରେ ଜଳ ସମସ୍ୟାର ସମାଧାନ ଜରୁରୀ ।