କନକ ବ୍ୟୁରୋ: ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଖବର । ସରକାର ୨୦୨୫ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍) ଘୋଷଣା କରିଛନ୍ତି । ଏହାଦ୍ୱାରା ୭ କୋଟିରୁ ଅଧିକ ଲୋକ ଉପକୃତ ହେବେ ଏବଂ ସେମାନଙ୍କର ପିଏଫ୍ ଜମା ବୃଦ୍ଧି ପାଇବ । ସରକାର କହିଛନ୍ତି ଯେ ୨୦୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା  EPFO ଆକାଉଣ୍ଟ ଉପରେ ଏଣିକି ବାର୍ଷିକ ୮.୨୫ ପ୍ରତିଶତ ସୁଧ ମିଳିବ । ଗତ ମେ ୨୩ ତାରିଖରେ ସରକାର ଏହାକୁ ଅନୁମୋଦନ କରିଛନ୍ତି ।

Advertisment

ଗତ ଫେବ୍ରୁଆରି ୨୮ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ହୋଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷରେ ଦିଆଯାଇଥିବା ସୁଧ ହାର ସହିତ ସମାନ । ୨୦୨୪-୨୫ ପାଇଁ ଅନୁମୋଦିତ ସୁଧ ହାର ଅର୍ଥ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଏବେ ସରକାର ଏହାକୁ ଅନୁମୋଦନ କରିଛନ୍ତି ।

୭ କୋଟିରୁ ଅଧିକ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ 
ଶ୍ରମ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, 'ଅର୍ଥ ମନ୍ତ୍ରଣାଳୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫ ଉପରେ ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛି । ଶ୍ରମ ମନ୍ତ୍ରଣାଳୟ ଗୁରୁବାର ଏ ସମ୍ପର୍କରେ ଇପିଏଫଓକୁ ଏକ ଚିଠି କରିଥିଲା ।' ଚଳିତ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ସୁଧ ହାର ଅନୁଯାୟୀ, EPFOର ୭ କୋଟିରୁ ଅଧିକ ସଦସ୍ୟଙ୍କ ଆକାଉଣ୍ଟରେ ସୁଧ ରାଶି ଜମା କରାଯିବ ।

ଫେବ୍ରୁଆରିରେ ବଢ଼ିଥିଲା ପିଏଫ୍ ସୁଧ ହାର 
୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୭ତମ ବୈଠକରେ ସୁଧ ହାର ଉପରେ ନିଷ୍ପତ୍ତି ନିଆଯାଇଛି । ଅନେକ ସ୍ଥିର ଆୟ ଉପକରଣ ତୁଳନାରେ EPFO ଅଧିକ ଏବଂ ସ୍ଥିର ରିଟର୍ଣ୍ଣ ପ୍ରଦାନ କରେ, ଯାହା ଫଳରେ ଅବସର ପରେ ଏକ ବର୍ଦ୍ଧିତ ସ୍ଥିର ସଞ୍ଚୟ ପାଇବେ କର୍ମଚାରୀ । ଫେବ୍ରୁଆରି ୨୦୨୪ରେ, EPFO  ସୁଧ ହାର ସାମାନ୍ୟ ବୃଦ୍ଧି ହୋଇ ୮.୨୫ପ୍ରତିଶତ ହୋଇଥିଲା, ଯାହା ୨୦୨୨-୨୩ରେ ୮.୧୫ ପ୍ରତିଶତ ଥିଲା । 

ଯେବେ ହ୍ରାସ ହୋଇଥିଲା ସୁଧ ହାର 
୨୦୨୦-୨୧ରେ EPF ଉପରେ ସୁଧହାର ୮.୫ ପ୍ରତିଶତରୁ ହ୍ରାସ କରି ସର୍ବନିମ୍ନ ୮.୧ ପ୍ରତିଶତ କରିଥିଲେ ସରକାର । ୧୯୭୭ରେ EPFOର ସର୍ବନିମ୍ନ ସୁଧହାର ୮ ପ୍ରତିଶତ ଥିଲା ।  ତେବେ ବିଗତ ବର୍ଷର ସୁଧହାର ଏଥର ଅପରିବର୍ତ୍ତିତ ରହିଛି ।

ପ୍ରତିବର୍ଷ ସୁଧ ସ୍ଥିର କରାଯାଏ
EPFO, ପ୍ରତିବର୍ଷ କର୍ମଚାରୀଙ୍କ ପାଇଁ ସୁଧହାର ସ୍ଥିର କରେ ଏବଂ ତା’ପରେ ଏହାକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଏ । ଏହାପରେ, ଯଦି ଅର୍ଥ ମନ୍ତ୍ରଣାଳୟ ଅନୁଭବ କରେ ଯେ ଏହି ସୁଧ ହାର ସଠିକ୍, ତେବେ ଏହାକୁ ଅନୁମୋଦନ କରାଯାଏ, କିନ୍ତୁ ଯଦି ଅର୍ଥ ମନ୍ତ୍ରଣାଳୟ ଏଥିରେ କୌଣସି ପରିବର୍ତ୍ତନ ଆବଶ୍ୟକତା ମନେ କରେ ତେବେ ସଂଶୋଧନ ବି ହୋଇପାରିବ ।