କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ପରେ ବିଳିବିଳାଉଛି ଆତଙ୍କୀସ୍ତାନ,ଲଗାତାର କରିଚାଲିଛ ଅସ୍ତ୍ରବିରତି ଉଲ୍ଲଂଘନ । ସାଧାରଣ ନିରୀହ ଲୋକଙ୍କ ଉପରୁ କରୁଛି ଆକ୍ରମଣ । ଆକ୍ରମଣର କଡ଼ା ଜବାବ୍ ଦେବାକୁ ଯାଇ ପ୍ରତିଆକ୍ରମଣ କରୁଛି ଭାରତ । ଭାରତ-ପାକ୍ ଭିତରେ ଚାଲିଛି ଯୁଦ୍ଧ ପରିସ୍ଥିତି । ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭା ସାଂସଦ ରାଘବ ଚଢା ପାକିସ୍ତାନକୁ ଦେଇଛନ୍ତି ଚେତାବନୀ । କହିଛନ୍ତି, ସୁଧିରି ଯାଅ ନହେଲେ କାଶୀଠୁ ନେଇ ଇସଲାମ୍ବାଦ୍ ପର୍ଯ୍ୟନ୍ତ ବହିବ ଗଙ୍ଗା ଆଉ ରାୱଲପିଣ୍ଡିରେ ଉଡ଼ିବ ତ୍ରିରଙ୍ଗା ।
ରାଘବ ଚଢା ଏକ ଭିଡିଓ ଜାରି କରି କହିଛନ୍ତି କି,ଏହା ସତ୍ୟ ଯେ ଆପଣ ବନ୍ଧୁକୁ ବଦଳାଇ ପାରିବେ କିନ୍ତୁ ପଡ଼ୋଶୀକୁ ନୁହେଁ ଆଉ ଯଦି ପଡ଼ୋଶୀ ପାକିସ୍ତାନ ପରି ହୋଇଥାଏ ତେବେ କଠୋର ଦଣ୍ଡ ଦେବା ଆମର ପ୍ରଥମ କର୍ତ୍ତବ୍ୟ । ଆଜି ଭାରତ କେବଳ ପାକିସ୍ତାନ ବିରୁଦ୍ଧରେ ନୁହେଁ ବରଂ ନିଷ୍ଠୁରତା, ବର୍ବରତା ଏବଂ ଆତଙ୍କବାଦୀ ମାନସିକତା ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛି ।
ସେ ଭାରତୀୟ ସେନାର ପ୍ରଶଂସା ମଧ୍ୟ କରିଛନ୍ତି ଏବଂ କହିଛନ୍ତି , ଆମର ସେନା ଯେଉଁ ଅଦ୍ଭୁତ ବୀରତ୍ୱ ଓ ସୌର୍ଯ୍ୟର ସହ ଲଢୁଛନ୍ତି ତାହା ସ୍ପଷ୍ଟ କରୁଛି ଯେ ଏଥର ଆତଙ୍କବାଦର ମୂଳୋତ୍ପାଟନ କରାଯିବ । ଆମକୁ କେବଳ ଭାରତୀୟ ସେନାର ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ । ଆମକୁ ସେମାନଙ୍କ ପରିବାର ସହିତ ଠିଆ ହେବାକୁ ପଡିବ, ସେମାନଙ୍କ ସାହସ ଏବଂ ମନୋବଳକୁ ବୃଦ୍ଧି କରିବାକୁ ପଡିବ । ଯେଉଁମାନଙ୍କର ପୁଅମାନେ ସୀମାରେ ଶତ୍ରୁ ସହିତ ଲଢ଼ୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ସାରା ବିଶ୍ୱ ଜାଣେ ଯେ ଏହା ଆମର ନୀତି କ’ଣ - ଆମେ ପ୍ରଥମେ କାହା ସହ ଲାଗୁନୁ ଆଉ ଆମ ସହ ଯିଏ ଲାଗେ ଆମେ ତାକୁ ଛାଡ଼ୁନୁ । ୨୨ ଏପ୍ରିଲ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଆମର ନିରୀହ ଲୋକମାନଙ୍କୁ ଲୋକଙ୍କୁ ଯେଉଁ କାପୁରୁଷତା ଏବଂ ନିଷ୍ଠୁରତା ସହିତ ହତ୍ୟା କରିଥିଲେ, ତାହା ମାନବ ଇତିହାସରେ ଏକ କଳଙ୍କ । ତେଣୁ ଆମେ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ଆମର ଭଉଣୀମାନଙ୍କ ସିନ୍ଦୂରର ପ୍ରତିଶୋଧ ନେଇଥିଲୁ କିନ୍ତୁ ପାକିସ୍ତାନ ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ସୀମାରେ ଆମର ନିରୀହ ନାଗରିକ ଏବଂ ପିଲାମାନଙ୍କୁ ଟାର୍ଗେଟ କଲା । ସେ ଭୁଲିଗଲେ ଯେ ଭାରତ ବୁଦ୍ଧଙ୍କ ଭୂମି ଏବଂ ଅର୍ଜୁନ ଓ ଭୀମଙ୍କ ଭଳି ମହାନ ଯୋଦ୍ଧାଙ୍କ ଭୂମି । ଭାରତରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅଛନ୍ତି ଏବଂ ଭଗତ ସିଂହ ଓ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ବୀରଙ୍କ ବଂଶଧର ମଧ୍ୟ ଅଛନ୍ତି । ଏଥିପାଇଁ ଭାରତର ତିନି ସେନା ଏହା ପ୍ରମାଣ କରିଛନ୍ତି ଯେ ‘ଭାରତ ପାକିସ୍ତାନ କା ବାପ୍ ହେ ଓୌର ବାପ୍ ବାପ୍ ହୋତା ହୈ’ ।