କନକ ବ୍ୟୁରୋ: ସରକାର ବଦଳିବା ପରେ ରାସନକାର୍ଡ ଧାରୀଙ୍କୁ ୨୦ ଭାଗ ଗହମ ଯୋଗାଇ ଦେବାକୁ ନିଷ୍ପତି ହୋଇଥିଲା। ହେଲେ, ଅସ୍ତରଙ୍ଗରୁ ଆସିଛି ସାଂଘାତିକ ଅଭିଯୋଗ। ରାସନକାର୍ଡଧାରୀଙ୍କୁ ଗହମ ନଦେଇ ଦସ୍ତଖତ କରି ନେଉଛନ୍ତି ଡିଲର। କିନ୍ତୁ କେବେ ଗହମ ମିଳିବ ସେ ନେଇ ସ୍ପଷ୍ଟ ଉତର ଦେଇପାରୁନାହାନ୍ତି।
ରାସନ ସାମଗ୍ରୀ ଦେବାକୁ ଡିଲର ସେନସର ମେସିନରେ ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ ନେଉଛନ୍ତି। ଖାତାରେ ବି ଗହମ ଦିଆଗଲା ବୋଲି ଲେଖି ଦିଆଯାଇଛି। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ପଞ୍ଚାୟତ ମଧୁପୁର ଗାଁର ଏକ ଡିଲର ପଏଣ୍ଟରେ ରାସନ ସାମଗ୍ରୀ ନେବାକୁ ଆସିଥିବା ହିତାଧିକାରୀମାନେ ଗହମ ନମିଳିଥିବାରୁ ଡିଲରଙ୍କୁ ଘେରି ପ୍ରଶ୍ନ କରିଛନ୍ତି। କାହିଁକି ଆଗୁଆ ଲେଖିଦେଲ ବୋଲି ସେମାନଙ୍କର ପ୍ରଶ୍ନ।
ଡିଲରଙ୍କ କହିବା ଅନୁସାରେ, ଗହମ ଯୋଗାଣ ପାଇଁ କଣ୍ଟ୍ରାକ୍ଟର ନିଯୁକ୍ତ ହୋଇ ନାହାନ୍ତି। ଯାହାଫଳରେ ଡିଲର ପଏଣ୍ଟକୁ ଗହମ ଆସିନି। ହେଲେ, ସେନସର ମେସିନରେ କାର୍ଡଧାରୀ ପିଛା ଯେତିକି ଗହମ ଅଛି ତାହା ଅପଲୋଡ ହେଉଥିବାରୁ ଆଗୁଆ ଲେଖିବାକୁ ବାଧ୍ୟ ହେଉଛନ୍ତି। ତେବେ କେବଳ ଏହି ଗୋଟିଏ ଡିଲର ପଏଣ୍ଟରେ ନୁହେଁ ଅଧିକାଂଶ ଡିଲର ପଏଣ୍ଟରେ ସମାନ ଅବସ୍ଥା। ତେଣୁ ପ୍ରଶ୍ନ ଉଠୁଛି...
- ଡିଲର ପଏଣ୍ଟରେ ଗହମ ପହଞ୍ଚିବା ପୂର୍ବରୁ କାହିଁକି ମେସିନରେ ଅପଲୋଡ କରାଗଲା?
- ରାସନକାର୍ଡ ହିତାଧିକାରୀଙ୍କୁ ଏହି ଗହମ ମିଳିବ ନା ମିଳିବ ନାହିଁ?
- ଡିଲର ପଏଣ୍ଟରେ ଗହମ ପହଁଚାଇବା ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବେ କି?