କନକ ବ୍ୟୁରୋ: କପା ମିଲ୍ ହେଲେ ପରିବେଶ ପ୍ରଦ୍ୟୁଷିତ ହେବ। ପାନୀୟ ଜଳ ଦୂଷିତ ହୋଇଯିବ। ନାନା ପ୍ରକାର ରୋଗ ହେବା ସହ ଜୀବନ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ନିଜ ଅଞ୍ଚଳରେ ନିର୍ମାଣଧିନ କପା ମିଲ ଓ ଧାନ ମିଲକୁ ବନ୍ଦ କରିବାକୁ ଦାବି କରିଛନ୍ତି ରାୟଗଡ଼ା ଜିଲ୍ଲା ଜିଞ୍ଜିଲିବାଡ଼ି ଗ୍ରାମବାସୀ।

Advertisment

ରାୟଗଡା ବ୍ଳକ ଜିଞିଲିବାଡି ଗାଁ ଠାରୁ ୨୦୦ ମିଟର ଦୂରରେ ରହିଛି ଧାନ ମିଲ। ଧାନ ମିଲରୁ ଚଷୁ ଉଡି ଆସି ଚାଷ ଜମିରେ ପଡୁଛି। ଫଳରେ ଚାଷ ପ୍ରଭାବିତ ହେଉଛି। ଏବେ ସେହି ଧାନ ମିଲ ପାଖରେ କପା ମିଲ ତିଆରି ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। କପା ମିଲ ପ୍ରତିଷ୍ଠା ହେଲେ ପରିବେଶ ପ୍ରଦୁଷଣ ହେବା ସହ ଚାଷ ଓ ପାନୀୟ ଜଳ ପ୍ରଭାବିତ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।

 ପୁରୁଣା ଧାନ ମିଲ ସହ ନିର୍ମାଣଧିନ କପା ମିଲ ବନ୍ଦ କିରିବା ଦାବି ହୋଇଛି। ଗ୍ରାମବାସୀ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଲିଖିତ ଆକାରରେ ନିଜ ଅଞ୍ଚଳର ସମସ୍ୟା ଜଣାଇଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଦାବି ନଶୁଣନ୍ତି ତେବେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି। 

ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷର ନିଆଁ ଜଳୁଛି। ସେ ନିଆଁ ବ୍ୟାପକ ହେବା ଆଗରୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଜରୁରୀ।