କନକ ବ୍ୟୁରୋ: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗରେ ବିଲ ଆସିଲା । ୨୪ ଘଂଟା ଭିତରେ ପାସ ବି ହେଲା । ବିଲରେ ଅନେକ କଠୋର ଦଣ୍ଡ ସହ ଚାର୍ଜସିଟର ୩୬ ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡ କିମ୍ୱା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି ।ଏହାପରେ ଓଡିଶାରେ ଏହି ବିଲ୍ କେବେ ଆସିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଓଡ଼ିଶାରେ ମହିଳା ବିରୋଧୀ ହିଂସାକୁ ବରଦାସ୍ତ କରାଯିବନି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ବିଧାନସଭାରେ ସରକାର ଜାରି କରିଥିବା ଶ୍ବେତପତ୍ର ଅନୁସାରେ ରାଜ୍ୟରେ ଦୁଷ୍କର୍ମ ମାମଲା ଉଦବେଗଜନକ ରହିଛି। 

ରାଜ୍ୟରେ ଦୁଷ୍କର୍ମ ମାମଲା 
୨୦୨୩ରେ ମୋଟ୍ ୨ ହଜାର ୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା
ସେଥି ମଧ୍ୟରୁ ୨ ହଜାର ୭୬୨ଟି ମାମଲାର ସତ୍ୟାସତ୍ୟ ଥିବା ଜଣାପଡ଼ିଥିଲା
ବର୍ଷ ଶେଷ ସୁଦ୍ଧା ୧ ହଜାର ୮୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା
ସେପଟେ ଦୁଷ୍କର୍ମକାରୀଙ୍କୁ କଠୋର ଶାସ୍ତି ପାଇଁ ଆଗତ ହୋଇଥିବା ‘ଅପରାଜିତା’ ବିଲକୁ ୨୪ ଘଣ୍ଟା ଭିତରେ ପାରିତ କରିଛି ପଶ୍ଚିମବଙ୍ଗ ବିଧାନସଭା। ଯଦିଓ ବିରୋଧୀ ବିଜେପି ପ୍ରସ୍ତାବିତ ଆଇନରେ ୭ଟି ସଂଶୋଧନ ଦାବି କରିଥିଲା, ତଥାପି ଏହାକୁ ସମର୍ଥନ ଜଣାଇଛି। ମମତା ସରକାର ଆଣିଥିବା ନୂଆ ଆଇନରେ- 

ଅପରାଜିତା ଆଇନରେ ଅଛି କ’ଣ? 
ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ କିମ୍ୱା ମୃତ୍ୟୁ ଦଣ୍ଡ
ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହେଲେ ଅପରାଧୀକୁ ଫାଶୀ 
ଚାର୍ଜସିଟ୍ ଦାଖଲର ୩୬ ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା
ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ 
ଭଳି କଠୋର ବ୍ୟବସ୍ଥା ରହିଛି।  

ପୂର୍ବରୁ ଦୁଇଟି ରାଜ୍ୟ ଏଭଳି ବିଲ୍ ଆଗତ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ୨୦୧୯ରେ ‘ଦିଶା ବିଲ୍’ ଓ ମହାରାଷ୍ଟ୍ର ସରକାର ୨୦୨୦ରେ ‘ଶକ୍ତି ବିଲ୍’ ଆଣିଥିଲେ । କିନ୍ତୁ ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏବେ ପ୍ରଶ୍ନ ଉଠୁଛି ଓଡ଼ିଶା ଏଭଲି ସ୍ୱତନ୍ତ୍ର ବିଲ୍‌ ଆଣିବ କି? 

ଦିଲ୍ଲୀ ଦୁଷ୍କର୍ମ ଘଟଣା ପରେ ନିର୍ଭୟା ନାଁରେ କେନ୍ଦ୍ର ସରକାର ଆଇନ୍ ଆଣିଛନ୍ତି। ବିଭିନ୍ନ ରାଜ୍ୟ ପାଇଁ କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଅନେକ ରାଜ୍ୟ ଏହାର ସଦୁପଯୋଗ କରିପାରୁନାହାନ୍ତି । ୨୦୨୦ର ରିପୋର୍ଟ ଅନୁଯାୟୀ ଓଡ଼ିଶା ଏହି ପାଣ୍ଠିର ୨୫ ପ୍ରତିଶତରୁ କମ୍ ଖର୍ଚ୍ଚ କରିଛି। ତେଣୁ ରାଜ୍ୟରେ ନୂଆ ସରକାର ମହିଳା ବିରୋଧୀ ହିଂସା ରୋକିବାକୁ ଆଭିମୁଖ୍ୟ କଠୋର କରିବେ ବୋଲି ଆଶା ।