କନକ ବ୍ୟୁରୋ: ଆଉ ଏକ ପ୍ରସଙ୍ଗରେ ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି । ଏଥରକ କୌଣସି କୂଟନୀତି ଆଲୋଚନା କିମ୍ବା ନିଷ୍ପତ୍ତି ପାଇଁ ନୁହେଁ, ନୋବେଲ ପୁରସ୍କାରକୁ ନେଇ ଖବରରେ ଟ୍ରମ୍ପ । ନୋବେଲ  ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ପାକିସ୍ତାନ ଫିଲ୍ଡ ମାର୍ଶଲ ଅସୀମ ମୁନିର ପ୍ରସ୍ତାବ ଦେଇଛନ୍ତି  । ଏହାପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଯାହା କଲେ ବି ତାଙ୍କୁ କେବେ ନୋବେଲ ପୁରସ୍କାର ମିଳିବନି ।

Advertisment

ମୁଁ ଯାହା କଲେ ବି ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବନି । ମୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରାମ କରିଛି । ଋଷ-ୟୁକ୍ରେନ ଯୁଦ୍ଧକୁ ଆୟତ୍ତରେ ରଖିପାରିଛି । ରାଷ୍ଟ୍ରମାନଙ୍କ ମଧ୍ୟରେ ଶାନ୍ତି ବଜାୟ ପାଇଁ ପ୍ରୟାସ କରୁଛି । ତଥାପି ମୋତେ ନୋବେଲ ମିଳିବନି । ଜନତା ମୋ କାମ ବିଷୟରେ ଜାଣିଛନ୍ତି । ଏହା ମୋ ପାଇଁ ଯଥେଷ୍ଟ । ଏଭଳି କିଛି ବୟାନ ଦେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବୟାନ ସେହି ସମୟରେ ଆସିଛି ଯେବେ ପାକିସ୍ତାନ ଫିଲ୍ଲ ମାର୍ଶଲ ଅସୀମ ମୁନୀର ଟ୍ରମ୍ପଙ୍କ ନାଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ବିଶ୍ବରେ ଯେଉଁଠି ଯୁଦ୍ଧ ବା ଅଶାନ୍ତି ଚାଲିଛି ସେଥିରେ ମଧ୍ୟସ୍ଥତା କରି ଟ୍ରମ୍ପ ଶାନ୍ତି ଆଣୁଥିବା ସବୁବେଳେ ଦାବି କରୁଛନ୍ତି କିନ୍ତୁ ସେ କଥା ମଧ୍ୟ ଜାଣନ୍ତି ତାଙ୍କ ଦାବିରେ କେତେ ସତ ରହିଛି । ତେଣୁ ସିଧାସିଧା ଏକଥା ମାନିନେଇଛନ୍ତି ଯେତେ ଯାହା କଲେ ବି ତାଙ୍କୁ ନୋବେଲ ମିଳିବ ନାହିଁ ।

ଆମେରିକା ରାଷ୍ଟ୍ରପତିଙ୍କ କଥାରେ କେତେ ସତ ଥାଏ ସେକଥା ଜାଣେ ବିଶ୍ବ । ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା କଥା ବାରମ୍ବାର ଦୋହରାଉଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ୩୫ ମିନିଟରେ ଫୋନକଲରେ ଏକଥା  ସ୍ପଷ୍ଟ କରିସାରିଛନ୍ତି ଯେ ଆଭ୍ୟନ୍ତରୀଣ ମାମଲାର ସମାଧାନ ପାଇଁ ଭାରତ କୌଣସି ତୃତୀୟପକ୍ଷରୁ ମଧ୍ୟସ୍ଥତା ଲୋଡୁନି । ଯୁଦ୍ଧ ବିରାମରେ ଆମେରିକାର କୌଣସି ଭୂମିକା ନଥିଲା । ତଥାପି ଯୁଦ୍ଧ ବିରାମ କଥା ଉଠାଇ ନିଜକୁ ନୋବେଲ ଶାନ୍ତି ପୁରସ୍କାର ଦାବିଦାର ବୋଲି କହୁଛନ୍ତି ଡୋନାଲ୍ଡ ଟ୍ରମ୍ପ ।