କନକ ବ୍ୟୁରୋ : ଗଞ୍ଜାମର ବିରିପୁର ଗାଁ । ମାଟି ଦୀପକୁ ନେଇ ପ୍ରସିଦ୍ଧ । ଦୀପାବଳି ଆସିଲେ ଗାଁରେ ଲାଗେ ଗହଳି ଚହଳି । ଦୀପ କିଣିବା ପାଇଁ ଗାଁରେ ପହଂଚନ୍ତି ବିଭିନ୍ନ ସ୍ଥାନର ଲୋକ । ବିରିପୁରର ଦୀପ ଜିଲ୍ଲା ଓ ଜିଲ୍ଲା ବାହାରେ ବିକ୍ରି କରାଯାଏ । ଗାଁରେ ପ୍ରାୟ ୮୦% କୁମ୍ଭକାର ପରିବାର । ପିଢ଼ି ପରେ ପିଢ଼ି ଦୀପ ଓ ବିଭିନ୍ନ ପ୍ରକାର ମାଟି ତିଆରି ସାମଗ୍ରୀ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଛନ୍ତି ।  କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ବିରିପୁର ବାସିନ୍ଦା ।

Advertisment

ମାଟି ଦୀପର ଗାଁ । ସବୁ ଘରେ ଚାଲିଛି ମାଟି କାମ। ଦୀପ ଠାରୁ ଆରମ୍ଭ କରି କଳସ ପର୍ଯ୍ୟନ୍ତ ସବୁ ତିଆରି କରନ୍ତି କୁମ୍ଭକାର ପରିବାର । ଗଞ୍ଜାମ ବ୍ଳକର କରପଡ଼ା ପଞ୍ଚାୟତର ଏକ ଛୋଟିଆ ଗାଁ ବିରିପୁର । ମାଟିରେ ମାଟି ହୋଇ ସାମଗ୍ରୀ ପ୍ରସ୍ତୁତ କରନ୍ତି, ତାକୁ ବିକି ଗୁରୁରାଣ ମେଟାନ୍ତି । ଏବେ ଦୀପ ତିଆରି କରିଛନ୍ତି । ଆଉ ଆଶା ରଖିଛନ୍ତି ଏ ଦୀପାବଳିରେ ଦୀପ ବିକ୍ରି ହେବ, ଦୀପ ନିଆଁରେ ସେମାନଙ୍କ ଦୁଃଖ ଜଳିଯିବ । ଦୁଇ ପଇସା ରୋଜଗାର ହେବ । କାରଣ ଅନେକ ସମୟରେ କାରିଗରଙ୍କୁ ପାରିଶ୍ରମିକ ମିଳିନଥାଏ ।  

ବିରିପୁର ଗାଁର ୫୦ ପରିବାର ଦୀପ ଗଢ଼ିଛନ୍ତି । ପ୍ରତିଦିନ ଗୋଟିଏ ପରିବାର ପ୍ରାୟ ଅଢ଼େଇ ହଜାର ଦୀପ ପ୍ରସ୍ତୁତ କରିଥାନ୍ତି । ୪ ଜଣ ସଦସ୍ୟ ଦୀପ ଗଢ଼ିବା କାମରେ ଲାଗିଥାନ୍ତି । କିଏ ମାଟି ଦଳିଥାଏ, ଆଉ କିଏ ମାଟିକୁ ଆକାର ଦେଇଥାଏ । ସକାଳୁ ସନ୍ଧ୍ୟା ଯାଏଁ ଦୀପ ଗଢ଼ା, ସୁଖା ଓ ସଂଗ୍ରହରେ ସମୟ ବିତାଇଥାନ୍ତି । ଦୀପାବଳି ଅନ୍ୟ ପର୍ବପର୍ବାଣୀ ସମୟରେ ବ୍ୟବସାୟୀମାନେ ଗାଁକୁ ଆସି ଦୀପ କିଣି ନେଇଥାନ୍ତି । କୁମ୍ଭକାରମାନେ ନିଜେ ମଧ୍ୟ ଗାଁ ଗାଁ ବୁଲି ଦୀପ ବିକ୍ରି କରିଥାନ୍ତି । ତଥାପି ୮ ଘଂଟା ପାରିଶ୍ରମର ମୂଲ ମିଳିବା କଷ୍ଟକର ହେଉଛି । ସରକାର ପ୍ରୋତ୍ସାହନ ମିଳୁନଥିବାରୁ କୌଳିକ ବୃତିକୁ ଆପଣାଇଲେ ପରିବାର ପ୍ରତିପୋଷଣ କଷ୍ଟକର, ତଥାପି ବିରିପୁର ଗାଁର ଯୁବକମାନେ ପାଠପଢ଼ା ପରେ ଦାଦନ ଖଟିବାକୁ ନଯାଇ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ମାଟି କାମ କରିଥାନ୍ତି ।