କନକ ବ୍ୟୁରୋ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବା ଦିନଠୁ ହିଁ, ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଚର୍ଚ୍ଚା ବଢିଛି । ଖାସ୍ କରି ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ ତାକୁ ନେଇ ଚର୍ଚ୍ଚା ବଢିଛି । ଆଉ ଏହାରି ଭିତରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରେସରୁ ନିଜକୁ ବାହାର କରିଦେଇଥିବା ନେଇ ଖବର ଆସିଛି । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ? କିଏ ଉପ-ମୁଖ୍ୟମନ୍ତ୍ରୀ ହେବ? ଏକନାଥ ସିନ୍ଦେଙ୍କ ରାଜନୈତିକ ଭବିଷ୍ୟତ କଣ ହେବ? ତାକୁ ନେଇ ରାଜନୈତିକ କରିଡରରେ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା ।
ଶିବସେନା ନେତା ସଞ୍ଜୟ ଶିରସାଟ ଶୁକ୍ରବାର କହିଛନ୍ତି ଯେ, ଯଦି ତାଙ୍କ ଦଳର ନେତା ଏକନାଥ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର ନକରନ୍ତି, ତେବେ ଏହି ପଦ ଦଳର ଆଉ କେଉଁ ନେତାଙ୍କୁ ଦିଆଯିବ । ଏଥିସହ ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଏକନାଥ ସିନ୍ଦେ ମହାରାଷ୍ଟ୍ର ରାଜନୀତି ଛାଡି କଦାପି କେନ୍ଦ୍ରରେ ମନ୍ତ୍ରୀ ବନିବେ ନାହିଁ ।
ତେବେ ମହାରାଷ୍ଟ୍ର ରେଜଲ୍ଟ ଆସିବା ପରେ ଏକନାଥ ସିନ୍ଦେ କହିଛନ୍ତି ଯେ, ବିଜେପି ନେତୃତ୍ୱ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଯାହା ବି ନିଷ୍ପତ୍ତି ନେବେ ସେ ତାକୁ ଗ୍ରହଣ କରିବେ । ମୋଦୀ, ଶାହା ହିଁ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଧାର୍ୟ୍ୟ କରିବେ ବୋଲି କୁହାଯାଉଛି । ତେବେ ଏହାରି ଭିତରେ ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଅମିତ ଶାହାଙ୍କ ବାସଭବନରେ ମିଟିଂ ହେଇଥିଲା । ହେଲେ ଏବେ ବି ଏନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ପାରିନାହିଁ ।
ତେବେ ମହାରାଷ୍ଟ୍ର ରେଜଲ୍ଟ ପରେ ଏଥର ମହାୟୁତି ମେଣ୍ଟକୁ ବହୁମତ ମିଳିଛି । ଆଉ ମେଣ୍ଟରେ ସବୁଠୁ ଅଧିକ ଆସନ ଜିତିଥିବାରୁ ବିଜେପି ନେତା ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ନେଇ ସୂଚନା ମିଳୁଛି । ଏପରି ହେଲେ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହେବା ଏକପ୍ରକାର ପକ୍କା । ତେଣୁ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେଲେ, ଏକନାଥ ସିନ୍ଦେଙ୍କୁ କେଉଁ ପଦ ମିଳୁଛି ତାହା ଏବେ ପ୍ରଶ୍ନ ଘେରରେ ।
ଶିବସେନା ନେତାଙ୍କ କହିବା କଥା, ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି । ଏହା ବଦଳରେ ଶିବସେନାର ଅନ୍ୟ କେଉଁ ନେତାଙ୍କୁ ଏହି ପଦ ମିଳିପାରେ । ଏହାସହ ଏକନାଥ ସିନ୍ଦେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି କହିଛନ୍ତି ସଞ୍ଜୟ ଶିରହାଟ ।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୩ ତାରିଖରେ ଆସିଥିଲା ମହାରାଷ୍ଟ୍ର ଫଳାଫଳ । ଯେଉଁଥିରେ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ମିଳିଥିଲା ସ୍ପଷ୍ଟ ବହୁମତ । ଏହାମଧ୍ୟରେ ବିଜେପିକୁ ୧୩୨ ସିଟ୍ ଜିତିଥିବାବେଳେ, ଶିବସେନା ୫୭ ସିଟ୍, ଏନସିପି ୪୧ ସିଟ୍ ଜିତିଥିଲା । ଅନ୍ୟପଟେ କଂଗ୍ରେସ କେବଳ ୧୬ ସିଟ୍, ଶିବସେନା (ୟୁବିଟି) ୨୦ ସିଟ୍ ଆଉ ଏନସିପି (ଶରଦ ପାଓ୍ୱାର) ୧୦ଟି ସିଟରେ ଜିତାପଟ ହାସଲ କରିଥିଲେ । ହେଲେ ଏପର୍ୟ୍ୟନ୍ତ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଚର୍ଚ୍ଚା ଥମିନି ।