କନକ ବ୍ୟୁରୋ ; ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି । ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀମାନେ ସୀମା ସେପଟରୁ ଆସିଥିଲେ ବୋଲି ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ହେଲେ ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ଦାବି କରୁଥିବା ବେଳେ ପାକିସ୍ତାନ ଏହାକୁ ଗ୍ରହଣ କରିନାହିଁ । ଏହାରି ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ।
ଦାନିଶ କାନେରିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଯଦି ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର କୌଣସି ଭୂମିକା ନାହିଁ ତେବେ ପ୍ରଧାନମନ୍ତ୍ରର ଶହବାଜ ଶରିଫ୍ ଏପର୍ଯ୍ୟନ୍ତ କାହିଁକି ଏହି ଆକ୍ରମଣକୁ ନିନ୍ଦା କରିନାହାଁନ୍ତି । ଏହାସହ ଆକ୍ରମଣ ପରେ ପାକିସ୍ତାନ ସେନା କାହିଁକି ସଜାଗ ହୋଇଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ସେନା ଓ ସରକାର ଆକ୍ରମଣ ପଛର ସତ ଜାଣିଛନ୍ତି । ମୋ ଦେଶ ଯେଭଳି ଭାବେ ଆତଙ୍କବାଦୀଙ୍କୁ ପୋତ୍ସାହନ ଦେଉଛି ତାହା ଦେଶପାଇଁ ଲଜ୍ଜାକର ଘଟଣା ।