କନକ ବ୍ୟୁରୋ: କାହା ହୃଦୟରେ କିଏ ଅଛି, କିଏ କାହାକୁ କେତେ ଭଲପାଏ…ସବୁ କଥା ଜାଣିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ଏ କଥା ଆମେ ନୁହେଁ ବରଂ ସିଏ ନିଜେ ହିଁ ଗଣମାଧ୍ୟମକୁ କହୁଛନ୍ତି । ଖାଲି କହୁନାହାନ୍ତି, ସିଏ କେତେ କାହାକୁ ଭଲପାଆନ୍ତି ତାହା ବି କହିଲେ । ହେଲେ ସାଧାରଣ ଗଣତନ୍ତ୍ର ଦିବସରେ ଲେନିନ କାହିଁକି ଏମିତି କହିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି । 

Advertisment

ଲୋକଙ୍କ ହୃଦୟରେ ନବୀନ ୧୦୦ ରୁ ୧୦୦
ଆମ ହୃଦୟରେ ହଜାରେ

ସାଧାରଣ ନିର୍ବାଚନ ସରିବାକୁ ୮ ମାସ ହେଲାଣି । ଏଥର ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ସରକାର କରିବାକୁ ସୁଯୋଗ ଦେଲେ ଓଡ଼ିଶାବାସୀ । କିନ୍ତୁ ଲେନିନ୍‌ କହୁଛନ୍ତି ଲୋକଙ୍କ ହୃଦୟରେ ଏବେ ବି ଅଛନ୍ତି ନବୀନ ବାବୁ, ତାହା ପୁଣି ଶତପ୍ରତିଶତ । ଯଦି ଲୋକମାନେ ନବୀନ ବାବୁଙ୍କୁ ଏତେ ଭଲପାଉଥିଲେ ତାହାଲେ ଭୋଟ୍‌ରେ ତାହାର ପ୍ରଭାବ ପଡ଼ିଲା ନାହିଁ କାହିଁକି । କେବଳ ମନ ବୁଝାଇବାକୁ ଲେନିନ୍‌ ଏମିତି କହୁଥିବା ରାଜନୈତିକ ମହଲରେ ଜୋର ଚର୍ଚ୍ଚା ।

ଉତ୍ତରାଧିକାରୀ କଥା ଏଡ଼ାଇ ଦେଲେ
ଆସେଟ୍‌ କଥା କହିଲେ

ଅନେକ ସମୟରେ ପ୍ରଶ୍ନ ଉଠେ କି ନବୀନ ବାବୁଙ୍କର ଉତ୍ତରାଧିକାରୀ ହେବ କିଏ । କାହିଁକି ନବୀନ ବାବୁ ନିଜ ଉତ୍ତରାଧିକାରୀ କଥା କହୁନାହାନ୍ତି ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଲେନିନ୍‌ ମଧ୍ୟ ସମାନ ଢଙ୍ଗରେ ଉତ୍ତରାଧିକାରୀ କଥାକୁ ଏଡ଼ାଇ ଦେଲେ । କହିଲେ, ନବୀନ ବାବୁଙ୍କୁ ଯେତେ ଦେଖିଲେ ବି ନିଇତି ନୂଆ ଦେଖିବା ପରି ଅନୁଭବ ହୁଏ । ଆମେ ଏବେ ବି ଓଡ଼ିଶାର ନମ୍ୱର ୱାନ ଦଳ ଅଛୁ । ୨୪ ବର୍ଷ ହେଲାଣି ଓଡ଼ିଶାର ବିକାଶ ଯେଉଁପରି ଭାବରେ ହୋଇଛି ତାହା କିଏ କରିଛି ସାଧାରଣ ଜନତା ସବୁ ଜାଣିଛନ୍ତି । ତେଣୁ ଆଗାମୀ ଦିନରେ ବିଜେଡିର  ଯେଉଁ ସାଙ୍ଗଠନିକ ସ୍ତରରେ ନିର୍ବାଚନ ହେବ ତାହା ସବୁ ଦୃଷ୍ଟି କୋଣକୁ ନଜରରେ ରଖି ହେବ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି ସହ ଲୋକମାନେ ଅଛନ୍ତି ଆମେ ବି ଲୋକଙ୍କ ସହ ଅଛୁ । ସେଇଥି ଲାଗି ତ ଯେକୌଣସି ସ୍ଥାନରେ ଲୋକଙ୍କର କିଛି ସମସ୍ୟା ହେଲେ ଆମେ ସଙ୍ଗେ ସଙ୍ଗେ ପହଞ୍ଚୁଛୁ । 

ମୋଟ୍‌ ଉପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମରେ ପହଞ୍ଚିବା ପରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଭିନ୍ନସ୍ତରର ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ନୂଆ ସଙ୍ଗଠନ ତିଆରି କରିବାକୁ ଚିନ୍ତା ବି କରୁଛନ୍ତି । ଏହାରି ଭିତରେ ଲେନିନ୍‌ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।