କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କ୍ୱାଲିଫାୟର୍-୧ ମ୍ୟାଚରେ ଆରସିବି ୮ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ସେହି ସମୟରେ, କ୍ୱାଲିଫାୟର୍-୨ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି ।
ଚଳିତ ଆଇପିଏଲର କିଛି ମ୍ୟାଚରେ ବର୍ଷା ଯୋଗୁଁ ୩ଟି ମ୍ୟାଚ ବାତିଲ ହୋଇଛି । କ୍ୱାଲିଫାୟର ମ୍ୟାଚରେ ବି ବର୍ଷା କାରଣରୁ ବିଳମ୍ୱରେ ଆରମ୍ଭ ହୋଇଥିଲା, ଏହି ମ୍ୟାଚ ଅହମ୍ମଦାବାଦରେ ଖେଳାଯାଇଥିଲା । ତେବେ ଏପରି ସମୟରେ ସବୁଠାରୁ ବଡ଼ ଚିନ୍ତା ଯଦି ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ କେଉଁ ଦଳ ଚାମ୍ପିୟନ୍ ହେବ?
ବର୍ଷା କିମ୍ୱା ଅନ୍ୟ କୌଣସି କାରଣରୁ ଯଦି ଆଜି ମ୍ୟାଚ ୫-୫ ଓଭର ବି ଖେଳ ହୋଇନପାରେ ତେବେ ମ୍ୟାଚ ରିଜର୍ଭ ଡେ’ ଜୁନ ୪ରେ ଖେଳାଯିବ । ତଥାପି, ବିସିସିଆଇ ୧୨୦ ମିନିଟର ଅତିରିକ୍ତ ସମୟ ରଖିଛି, ଯାହା ଦ୍ଵାରା ଫଳାଫଳ ଗୋଟିଏ ଦିନରେ ଆସିପାରିବ । ଯଦି ଫଳାଫଳ ବାହାରି ନଥାଏ, ତେବେ ରିଜର୍ଭ ଡେ’ ବ୍ୟବହାର କରାଯିବ । ରିଜର୍ଭ ଡେ’ ରେ, ମ୍ୟାଚ୍ ଯେଉଁଠାରେ ବନ୍ଦ ହୋଇଥିଲା ସେହିଠାରୁ ଆରମ୍ଭ ହେବ । ଯଦି ବର୍ଷା ରିଜର୍ଭ ଡେ’ ରେ ମଧ୍ୟ ବାଧା ସୃଷ୍ଟି କରେ ଏବଂ ସର୍ବନିମ୍ନ ପାଞ୍ଚ ଓଭର ଖେଳ ସମ୍ଭବ ହୁଏ ନାହିଁ, ତେବେ ବିଜେତା ସୁପର ଓଭର ଦ୍ୱାରା ନିର୍ଣ୍ଣୟ କରାଯାଇପାରିବ ।
ଯଦି ସୁପର ଓଭର ସମ୍ଭବ ନହୁଏ, ତେବେ ପଏଣ୍ଟ ଟେବୁଲ ଆଧାରରେ ବିଜେତା ନିର୍ଣ୍ଣୟ କରାଯିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ ଚଳିତ ସିଜିନରେ, ପଞ୍ଜାବ କିଙ୍ଗସ୍ ପଏଣ୍ଟ ଟେବୁଲର ଶୀର୍ଷରେ ଥିଲା, ଯେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଅର୍ଥାତ୍, ଯଦି ମ୍ୟାଚ୍ ବର୍ଷା ହୁଏ, ତେବେ ପଞ୍ଜାବ କିଙ୍ଗସ୍କୁ ବିଜେତା ଘୋଷଣା କରାଯିବ ।
ଜୁନ୍ ୩ ତାରିଖରେ ଅହମ୍ମଦାବାଦର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅହମ୍ମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶକ ଅରୁଣକୁମାର ଦାସ କହିଛନ୍ତି, 'ଆମର ପୂର୍ବାନୁମାନ ବିଶେଷକରି ଅହମ୍ମଦାବାଦ ଏବଂ ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସୂଚନା ରହିଛି । ଅହମ୍ମଦାବାଦର ତାପମାତ୍ରା ପ୍ରାୟ ୩୭ ଡିଗ୍ରି ରହିବ ଏବଂ ଆକାଶ ମଧ୍ୟ ମେଘୁଆ ରହିବାର ସମ୍ଭାବନା ଅଛି ।'