କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବାକୁ ଲାଗିପଡିଛନ୍ତି ତିନି ପ୍ରମୁଖ ଦଳ । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିର ବମ୍ପର ବିଜୟ ହୋଇଥିଲା । ଏବେ କିନ୍ତୁ ସ୍ଥିତି ବଦଳିଛି । ରାଜ୍ୟରେ କ୍ଷମତାରେ ଅଛି ବିଜେପି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ଭୋଟ୍ ପୂର୍ବରୁ କାହାର ଦମ୍ କେତେ ?
ସବୁବେଳେ ଭିନ୍ନ କଥା କହେ ପଞ୍ଚାୟତ ଫଳାଫଳ । ଗତ ୩ଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତଥ୍ୟକୁ ଦେଖିଲେ, ସବୁଥର ଅଙ୍କ ଗୋଳମାଳ ହୋଇଛି। ୨୦୧୨ ରେ ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୬୫୪ଟିରେ ବିଜୟ ହାସଲ କରିଥିଲା । ଦ୍ବିତୀୟ ସ୍ଥାନରେ ଥିଲା କଂଗ୍ରେସ ଓ ତୃତୀୟରେ ବିଜେପି । ୨୦୧୭ ରେ ପଞ୍ଚାୟତ ପୁନର୍ଗଠନ ପରେ ବଦଳିଥିଲା ଗଣିତ । ବିଜେଡି ୪୭୩କୁ ଖସିଆସିଥିବା ବେଳେ ୨୯୭ ଜୋନ୍ ଦଖଲ କରିଥିଲା ବିଜେପି । ପୁଣିଥରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିର ବମ୍ପର ବିଜୟ ହୋଇଥିଲା । ୮୫୨ଟି ଜୋନରୁ ବିଜେଡି ୭୬୬ଟି ଜିତି ସମସ୍ତ ୩୦ ଜିଲ୍ଲାରେ ଗଢ଼ିଥିଲା ଜିଲ୍ଲା ପରିଷଦ । କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ବଦଳିଯାଇଥିଲା ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟ । ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପଞ୍ଚାୟତ ସ୍ତରରେ ଛିଡି ଛିଡି ଚାଲିଛି ବିଜେଡି।
ଅଧିକ ପଢ଼ନ୍ତୁ : ୨୦୨୬ ହେବ ରାଜନୀତି ପାଇଁ ପରୀକ୍ଷାର ବର୍ଷ, ରାଜ୍ୟସଭା ଓ ପଞ୍ଚାୟତ ନିର୍ବାଚନ କହିବ କାହାର କେତେ ଦମ୍ ?
ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏବେ ଶାସକ ବିଜେପି ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରୁଛି। ବିଭିନ୍ନ ସଂସଦୀୟ କ୍ଷେତ୍ରର ଛାମୁଆ ନେତାଙ୍କ ସହ ଆଲୋଚନା କରୁଛନ୍ତି ଖୋଦ୍ ରାଜ୍ୟ ସଭାପତି ମନମୋହେନ ସାମଲ। ବିଧାନସଭା, ଲୋକସଭା ଭଳି ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ବିଜେପିକୁ ଆଶୀର୍ବାଦ କରିବେ ବୋଲି ଦଳ କହିଛି। ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ଆଗାମି ପଂଚାୟତ ଓ ପୌର ନିର୍ବାଚନକୁ ପ୍ରଭାବିତ କରିପାରେ।
Follow Us