କନକ ବ୍ୟୁରୋ : ମିଳିଲାନି ପରିଚୟ । ହତ୍ୟା ମାମଲା ରୁଜୁ କରି ପୋଷ୍ଟର ମାରିଲା କମିସନରେଟ ପୁଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରେଳଡ଼ବା ମରାମତି କାରଖାନା ନିକଟ ଖେଳପଡ଼ିଆରୁ ମୃତଦେହ ମିଳିବା ଘଟଣାରେ ପୁଲିସ ରୁଜୁ କଲା ହତ୍ୟାକାଣ୍ଡ ମାମଲା । ୪୮ ଘଣ୍ଟା ପରେ ବି ପରିଚୟ ନ ମିଳିବାରୁ ରାଜଧାନୀ ସାରା ପୋଷ୍ଟର ମାରିବ ପୁଲିସ । ଏପରିକି ୯୬ ଘଣ୍ଟା ଯାଏଁ ଅପେକ୍ଷା କରାଯିବ, ନହେଲେ ଶବ ସତ୍କାର କରାଯିବ । ସୋମବାର ସନ୍ଧ୍ୟାରେ ମିଳିଥିବା ମୃତଦେହର ମୁହଁଟି ନଷ୍ଟ ହୋଇ ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି । ତେବେ ସ୍ଥାନୀୟ ପୁଲିସ, ସାଇଣ୍ଟିଫିକ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ । ମୃତଦେହରେ କ୍ଷତ ଚିହ୍ନ ଥିବା ବେଳେ ମୃତକ ଜଣଙ୍କ ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ଼ ବେଲ୍ଟ ପିନ୍ଧିଥିବା ଜାଣିବାକୁ ପାଇଥିଲା ଟିମ୍ । ଏବେବି ପରିଚୟ ଅସ୍ପଷ୍ଟ ଓ କିନ୍ତୁ ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୁଲିସ ।