କନକ ବ୍ୟୁରୋ : ସରକାର ବଦଳିଛି । ସବୁଥିରେ ରଙ୍ଗ ବି ପରିବର୍ତ୍ତନ ହେଉଛି । ଚଳିତ ଶିକ୍ଷା ବର୍ଷଠାରୁ ନୂଆ ବ୍ରାଣ୍ଡିଂ ହୋଇଛି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍କୁଲ ପରିଚୟପତ୍ର ବା ଆଇ-କାର୍ଡ । ସବୁଜ ବଦଳି ଏବେ ହୋଇଛି ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ପିଲା ପକାଉଥିଲେ ସବୁଜ ରଙ୍ଗର ଆଇ-କାର୍ଡ ଆଉ ଏବେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପକାଇବେ ଗେରୁଆ ରଙ୍ଗର ପରିଚୟପତ୍ର । ପୂର୍ବରୁ ଆଇ କାର୍ଡ କେମିତି ଥିଲା ଆଉ ଏବେ ଆଇ କାର୍ଡ କେମିତି ହେଲା । କେବଳ ଆଇ-କାର୍ଡର ରଙ୍ଗ ବଦଳି ନାହିଁ ବରଂ ସ୍ଲୋଗାନ୍ ମଧ୍ୟ ବଦଳା ଯାଇଛି । ଟୋପି ଓ ଟି-ସାର୍ଟ ବ୍ରାଣ୍ଡିଂରେ ହୋଇଛି ପରିବର୍ତ୍ତନ ।
ବିଜେଡି ସରକାର ସମୟରେ ପିଲାଙ୍କ ହାଉସ୍ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ମାତ୍ର ଏଥର ଲୋଗୋ ବଦଳି ସ୍ଲୋଗାନ୍ ରହିଛି ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ । ପିଲାଙ୍କ ଟୋପିର ରଙ୍ଗ ଧଳା ରହିବ ଏବଂ ସେଥିରେ ସ୍ଲୋଗାନ ସହ ଲୋଗୋ ଲାଗିବ । ସରକାରଙ୍କ ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିରୋଧୀ ଦଳ । ଏନେଇ ବିଜେଡି ସରକାରଙ୍କୁ ସମାଲୋଚନା କରିଛି । ଆଉ କଂଗ୍ରେସ କହିଛି, ରଙ୍ଗ ପରିବର୍ତ୍ତନ ନ କରି ସରକାର ଗୁଣାତ୍ମକ ଶିକ୍ଷାର ବିକାଶ କରନ୍ତୁ । ପ୍ରଥମେ ସ୍କୁଲ କୋଠା, ତା’ପରେ ନବମ-ଦଶମ ପିଲାଙ୍କ ୟୁନିଫର୍ମ ଆଉ ଏବେ ପରିଚୟ ପତ୍ରର ରଙ୍ଗ ବଦଳାଇଛନ୍ତି ସରକାର । ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସାମଗ୍ରୀଗୁଡ଼ିକ ପ୍ରଦାନ କରିବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।