କନକ ବ୍ୟୁରୋ : ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ଉନ୍ନତ ଯୋଜନା ମାଧ୍ୟମରେ ଖୋର୍ଦ୍ଧା TLC ରୋଡରେ ଆଦର୍ଶ ଶ୍ମଶାନ ନିର୍ମାଣ କରାଗଲା । ଏ ନେଇ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୩ ଜୁଲାଇ ମାସ ରେ ଏହାର ଶୁଭ ଉଦଘାଟନ ସରିଛି । ମାତ୍ର ଶ୍ମଶାନ  କାହାର କାମରେ ଆସୁନି। ଶ୍ମଶାନ ଭିତର ପରିବେଶ ଅନାବନା ଘାସରେ ପରିପୂର୍ଣ୍ଣ । ଖୋର୍ଦ୍ଧା ପୌର ପ୍ରଶାସନ ଶ୍ମଶାନ ଭିତରେ ଅଳିଆ ଉଠା ଗାଡି ଷ୍ଟାଣ୍ଡ ହୋଇଛି ।   

Advertisment

ଜନସାଧାରଣଙ୍କ ସୁବିଧା ପାଇଁ ୨୦୨୦ରେ ଖୋର୍ଦ୍ଧା ଟିଏଲସି ରୋଡରେ ଆଦର୍ଶ ଶ୍ମଶାନ ନିର୍ମାଣ ଆରମ୍ଭ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଛି ୯୯ ଲକ୍ଷ ୫୮ ହଜାର ଟଙ୍କା । ଶ୍ମଶାନକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ୨୦୨୩ ଜୁଲାଇ ମାସରେ ଲୋକାର୍ପଣ କରାଯାଇଛି । ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ଶ୍ମଶାନ ବ୍ୟବହାର ଉପଯୋଗୀ ହୋଇନାହିଁ । ଖୋର୍ଦ୍ଧା ପୌର ପ୍ରଶାସନ ଏହାର ଦାୟିତ୍ବ ନେଇଥିବା ବେଳେ ଅଳିଆ ଆବର୍ଜନା ଉଠାଉଥିବା ଗାଡି ଆଦର୍ଶ ଶ୍ମଶାନରେ ଲମ୍ବା ଲାଇନରେ ରଖାଯାଇଛି। ତେବେ କାହିଁକି ପୌର ପ୍ରଶାସନ ଶ୍ମଶାନକୁ ବ୍ୟବହାର ଉପଯୋଗୀ କରୁନାହିଁ । ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । 

ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇ ଆଦର୍ଶ ଶ୍ମଶାନ ନିର୍ମାଣ ହୋଇଛି । ହେଲେ ରକ୍ଷଣବେକ୍ଷଣା ଅଭାବରୁ ଶ୍ମଶାନରେ ଗଛଲତା ଉଠିଗଲାଣି । ଆଦର୍ଶ ଶ୍ମଶାନକୁ ତୁରନ୍ତ ବ୍ୟବହାର ଉପଯୋଗୀ କରିବା ପାଇଁ ଖୋର୍ଦ୍ଧା ଜନଜାଗରଣ ପରିବାର ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଖୋର୍ଦ୍ଧା ପୌର ପ୍ରଶାସନ ଯଥାଶୀଘ୍ର ଶ୍ମଶାନକୁ ପରିସ୍କାର ପରିଚ୍ଛନ୍ନ କରି କାର୍ୟ୍ୟକ୍ଷମ କରିବା ନେଇ ଲୋକେ ଦାବି କରିଛନ୍ତି । ତେବେ ଶ୍ମଶାନକୁ ଉପଯୋଗୀ କରାଇବା ସହ, ଗାଡି ପାର୍କିଙ୍ଗସ୍ଥଳ ହଟାଇବାକୁ ସାଧାରଣରେ ଦାବି ହୋଇଛି ।