କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଇଡକୋ ଡେପୁଟି ମ୍ୟାନେଜର ବିଜୟ କୁମାର ଉଦୟସିଂ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକାସାଙ୍ଗରେ ୬ଟି ସ୍ଥାନରେ ଚଢ଼ାଉ କରିଛି । ପଦାକୁ ଆସୁଛି କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି। ଭୁବନେଶ୍ୱର ରାଜାରାଣୀ ମୌଜା ଆର୍ଯ୍ୟ ବିହାର ଅଞ୍ଚଳରେ ଥିବା ୪ ମହଲା ଘର, ଖୋର୍ଦ୍ଧା ଅଞ୍ଚଳରେ ଥିବା ପୈତୃକ ଘର ସହ ଶିଶୁପାଳଗଡରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍‌ କରିଛି । 

Advertisment

ଇଡକୋ ଡେପୁଟି ମ୍ୟାନେଜର ବିଜୟ କୁମାର ଉଦୟସିଂ । ବାବୁ ରହୁଛନ୍ତି ଆଲିଶାନ ବଙ୍ଗଳାରେ ଆଉ ଗାଧୋଉଛନ୍ତି ମିନେରାଲ ପାଣିରେ । ଯାହାକୁ ଦେଖି ଟେରା ହୋଇଯାଇଛି ଭିଜିଲାନ୍ସ । ଭୁବନେଶ୍ୱରରେ ଆର୍ଯ୍ୟ ବିହାରରେ ରହିଛି ବାବୁଙ୍କ ଆଲିଶାନ କୋଠା । ୭ ହଜାର ୫୦୦ ବର୍ଗଫୁଟ ଜମିରେ ଛିଡା ହୋଇଛି ୪ ମହଲା ବିଶିଷ୍ଟ ରାଜକୀୟ ବଙ୍ଗଳା । ଯାହାର ମୂଲ୍ୟ ପ୍ରାୟ ୩ କୋଟି ୨୨ ଲକ୍ଷ ଟଙ୍କା ହେବ । ଘରର ଗେଟରେ ପ୍ରବେଶ କରିବା ମୁସ୍କିଲ । କାରଣ ସବୁ ଏଠି ଚାଲେ ସେନସରରେ । ରିମୋଟରେ ଗେଟ୍ ଖୋଲେ ଆଉ ବନ୍ଦ ହୁଏ । ବିଜୟ କୁମାର ଉଦୟସିଂଙ୍କ ଘର ଭିତର ଡିଜାଇନ୍ ଦେଖି ତାଜୁବ୍ ହୋଇଯାଇଛି ଭିଜିଲାନ୍ସ । ଯୁଆଡେ ଦେଖିବ ସିଆଡେ ଲାଗିଛି ଇମ୍ପୋର୍ଟ ହୋଇଥିବା ଉପକରଣ ।  ଡ୍ରଇଂ ରୁମ୍ ଠାରୁ ବେଡ ରୁମ୍ ସବୁଠି ସେନ୍ସର ଲକିଂ । ତାରି ଭିତରେ ରହିଛି ଲକର । ଯେଉଁଥିରୁ ୪ ଲକ୍ଷ ୫୦ ହଜାର ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଜବତ ହୋଇଛି । ଏଥିସହ  ସାମ୍ନାକୁ ଆସିଛି ଅନ୍ୟ ଏକ ବ୍ୟୟବହୁଳ ଫ୍ଲାଟ୍, ଭୁବନେଶ୍ୱରରେ ୩ଟି ଦାମୀ ପ୍ଲଟ ଏବଂ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା । ଘର ଭିତରେ ଯେତିକି ଘର ବାହାରେ ସେତିକି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । 

ଖାଲି ସେତିକି ନୁହେଁ ବାବୁଙ୍କ ଏହି ଆଲିଶାନ ବଙ୍ଗଳାରେ ୩୨ଟି ଫ୍ୟାନ ଓ ୧୨ଟି ଏସି ଲାଗିଛି । ବାଥରୁମରେ ଜାପାନ ଟେକ୍ନୋଲୋଜିର ଟାଇଲ ଠାରୁ ଆରମ୍ଭ କରି ପ୍ୟାନ । ଏହି କୋଟିପତି ବାବୁଙ୍କ ଘରୁ ମିଳିଛି ୨୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ଓ ଏଟିଏମ୍ କାର୍ଡ । ସେପଟେ ଘର ଭିତରେ ଏମିତି କିଛି ଇଲୋକ୍ଟ୍ରୋନିକ୍ସ ଲକର ରହିଛି, ଯାହାକୁ ଖୋଲିପାରିନାହିଁ ଭିଜିଲାନ୍ସ । ଏତିକିରେ ସରିନି ବିଜୟ ବାବୁଙ୍କ ସମ୍ପତ୍ତି ତାଲିକା । ଚଢାଉ ବେଳେ ପୁରୀ ବାଲୁଖଣ୍ଡରେ ଗୋଟିଏ ଫ୍ଲାଟ୍, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୩ଟି ଦାମୀ ଫ୍ଲାଟ୍ ଖୋଜି ପାଇଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବାରୁ ମୋଟ ସମ୍ପତ୍ତି କେତେ, ତାହା ଆକଳନ କରାଯାଇନାହିଁ।