କନକ ବ୍ୟୁରୋ: ଭାରତରେ ଜୀବନକାଳ ଭିତରେ କର୍କଟ ରୋଗ ହେବାର ଆଶଙ୍କା ପ୍ରାୟ ୧୧ ପ୍ରତିଶତ ରହିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ମିଜୋରାମରେ ଏହି ବିପଦ ପ୍ରାୟ ଦୁଇଗୁଣ- ପୁରୁଷଙ୍କ ପାଇଁ ୨୧.୧ ପ୍ରତିଶତ ଓ ମହିଳାଙ୍କ ପାଇଁ ୧୮.୯ ପ୍ରତିଶତ । ବଡ଼ ମହାନଗରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ପୁରୁଷଙ୍କଠାରେ କର୍କଟ ହାର ସର୍ବାଧିକ ଥିବା ବେଳେ ଶ୍ରୀନଗରରେ ଫୁସ୍ଫୁସ୍ କର୍କଟ ରୋଗ ସମ୍ଭାବନା ସର୍ବାଧିକ ରହିଛି ।
ଭାରତର ଡାକ୍ତରୀ ଗବେଷଣା ପ୍ୟାନେଲର ଏହି ଅଧ୍ୟୟନରେ ଦେଶରେ ବଢୁଥିବା କର୍କଟ ମାମଲାକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ନ୍ୟାସନାଲ କ୍ୟାନ୍ସର୍ ରେଜିଷ୍ଟ୍ରି ପ୍ରୋଗ୍ରାମ୍ ଇନ୍ଭେଷ୍ଟିଗେଟର୍ ଗ୍ରୁପ୍ର ନେତୃତ୍ୱ ନେଇଥିଲା, ଯେଉଁଥିରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍), ଟାଟା ମେମୋରିଆଲ ସେଣ୍ଟର ଓ ଡକ୍ଟର ବିଆର୍ ଆମ୍ବେଡ଼କର ଇନ୍ଷ୍ଟିଚ୍ୟୁଟ୍ ରୋଟାରୀ କ୍ୟାନସର ହସ୍ପିଟାଲ ଓ ଦିଲ୍ଲୀ ଏମ୍ସର ବୈଜ୍ଞାନିକମାନେ ସାମିଲ ଥିଲେ ଏବଂ ୪୩ଟି ଜନସଂଖ୍ୟାଭିତ୍ତିକ କର୍କଟ ପଞ୍ଜୀକରଣର ତଥ୍ୟକୁ ବ୍ୟବହାର କରି ସମଗ୍ର ଭାରତରେ ୭ ଲକ୍ଷରୁ ଅଧିକ କର୍କଟ ମାମଲା ଏବଂ ୨ ଲକ୍ଷରୁ ଅଧିକ ମୃତ୍ୟୁର ବିଶ୍ଳେଷଣ କରିଥିଲେ ।
ମିଜୋରାମରେ ଆଇଜଲ ଜିଲ୍ଲାରେ ପ୍ରତି ୧ ଲକ୍ଷ ପୁରୁଷଙ୍କ ମଧ୍ୟରେ ୨୫୬ ଏବଂ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରେ ୨୧୭ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ମୁଖଗହ୍ୱର, ଫୁସ୍ଫୁସ୍ ଓ ପ୍ରୋଷ୍ଟେଟ୍ କର୍କଟ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ସ୍ତନ, ଗର୍ଭାଶୟ ଗ୍ରୀବା ଓ ଡିମ୍ବାଶୟ କର୍କଟ ଥିଲା । ମୁଖଗହ୍ୱର କର୍କଟରେ ଏକ ଚିନ୍ତାଜନକ ଧାରା ଦେଖିବାକୁ ମିଳିଥିଲା । ଅହମଦାବାଦରେ ମୁଖଗହ୍ୱର କର୍କଟ ପୁରୁଷଙ୍କଠାରେ ୪.୭% ଓ ମହିଳାଙ୍କଠାରେ ୬.୯% ବୃଦ୍ଧି ପାଇଛି । ଜାମା ନେଟୱାର୍କ ଓପନରେ ପ୍ରକାଶିତ ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଦେଶର କେତେକ ସ୍ଥାନରେ ସାମଗ୍ରିକ କର୍କଟ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ଉଦାହରଣ ସ୍ୱରୂପ, କାମରୂପ ସହରାଞ୍ଚଳ (ଆସାମ)ରେ ପୁରୁଷଙ୍କଠାରେ କର୍କଟ ମାମଲା ବାର୍ଷିକ ୩.୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ତିରୁଅନନ୍ତପୁରମ୍ (କେରଳ)ରେ ମହିଳାଙ୍କ କ୍ଷେତ୍ରରେ ବାର୍ଷିକ ୩.୪ ପ୍ରତିଶତ ବୃଦ୍ଧି ଘଟିଛି । ଗବେଷକମାନେ ଆକଳନ କରିଛନ୍ତି ଯେ, କେବଳ ୨୦୨୪ରେ ଭାରତରେ ପ୍ରାୟ ୧୫ ଲକ୍ଷ ୬୨ ହଜାର ୯୯ ଜଣ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୮ ଲକ୍ଷ ୭୪ ହଜାର ୪୦୪ ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି । ଅଧ୍ୟୟନ ଅନୁଯାୟୀ, ଭାରତରେ କର୍କଟକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା, ପ୍ରତିରୋଧ ଓ ଶୀଘ୍ର ଚିହ୍ନଟ ଉପରେ ଧ୍ୟାନ ଦେବା ପାଇଁ ମିଳିତ ପ୍ରୟାସ ଆବଶ୍ୟକ । ପ୍ରତିରୋଧ ସହିତ କର୍କଟ ଚିକିତ୍ସା ସୁବିଧାରେ ଉନ୍ନତି ଆଣିବା ଓ ସେବାକୁ ବିସ୍ତାର କରିବା ଜରୁରୀ, ବିଶେଷକରି ଯେଉଁ ଅଞ୍ଚଳରେ କର୍କଟ ମାମଲା ଅଧିକ ଥାଏ ।