କନକ ବ୍ୟୁରୋ: ବୁମରା ହରେଇଲେ ଏକ ନମ୍ବର ରାଙ୍କ୍ । ଆଇସିସି ଟେଷ୍ଟ ରାଙ୍କିଙ୍ଗର ତାଜା ଅପଡେଟ୍ ଅନୁସାରେ, ନିଜର ଏକ ନମ୍ବର ସ୍ଥାନ ହରାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା । ତାଙ୍କୁ ହଟେଇ ଏବେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଏବେ ଟେଷ୍ଟରେ ଏକ ନମ୍ବର ବୋଲର ସ୍ଥାନ ଅକ୍ତିଆର କରିଛନ୍ତି ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବାଂଲାଦେଶ ବିପକ୍ଷ ମୀରପୁର ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଦମଦାର ପ୍ରଦର୍ଶନ କରିଥିଲେ । ମୀରପୁର ଟେଷ୍ଟରେ ୯ ଓ୍ୱିକେଟ୍ ସଫଳତା ପାଇଥିଲେ ରାବାଡା । ଯାହାପରେ ସେ ଟେଷ୍ଟରେ ୩ ଶହ ଓ୍ୱିକେଟ୍ ଗ୍ରୁପରେ ମଧ୍ୟ ସାମିଲ ହେଇଥିଲେ । ଆଉ ଏବେ ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ସେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି ।
ତେବେ ୨୦୧୯ ପରେ ପ୍ରଥମ ଥର ପାଇଁ ରାବାଡା ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ପ୍ରଥମ ଥର ୨୦୧୮ ମସିହା ଜାନୁଆରୀ ମାସରେ ସେ ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ । ଏହାପରେ ଲଗାତାର ସେ ଟେଷ୍ଟ ରାଙ୍କିଙ୍ଗର ଟପ୍-୧୦ ରାଙ୍କିଙ୍ଗ୍ ଭିତରେ ରହୁଥିଲେ । ହେଲେ ଏହାପରେ ୨୦୧୯ରେ ତାଙ୍କୁ ହଟେଇ ବୁମରା, ଅଶ୍ୱିନୀ ଆଉ ଜୋସ୍ ହେଜେଲଉଡ୍ ଲଗାତାର ଏକ ନମ୍ବର ସ୍ଥାନରେ ରହି ଆସୁଥିଲେ ।
ଜାଣିରଖିବା ଉଚିତ୍ ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ଗତ ଦୁଇଟି ଟେଷ୍ଟରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନାହାଁନ୍ତି । ବାଂଲାଦେଶ ବିପକ୍ଷରେ ବୁମରା ୧୧ଟି ସଫଳତା ପାଇଥିଲେ ବି, ନ୍ୟୁଜିଲାଣ୍ଡ ବିପକ୍ଷରେ କିନ୍ତୁ ଫେଲ୍ ମାରିଥିଲେ । ସେପଟେ ବ୍ୟାଟିଂ ରାଙ୍କିଙ୍ଗରେ ଯଶସ୍ୱୀ ଜୟସଓ୍ୱାଲ ୩ୟ ସ୍ଥାନରେ ପହଞ୍ଚିଛନ୍ତି ।