କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବିକୁ ଆଇସିସିର ଶେଷ ଚେତାବନୀ । ୨୦୨୫ରେ ହେବାକୁଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସିର ବୋର୍ଡ ମିଟିଂକୁ ବାରମ୍ବାର ସ୍ଥଗିତ କରୁଥିବାରୁ ଏଥର ଆଇସିସି ପିସିବିକୁ ଶେଷ ୱାର୍ଣ୍ଣିଂ ଦେଇଛି । ଆଇସିସି କହିଛି ଆସନ୍ତା ୭ ତାରିଖରେ ଚାମ୍ପିୟନ୍ସ ଟ୍ରଫି ନେଇ ଶେଷ ବୈଠକ ବସିବ ।
ପାକିସ୍ତାନ ଯଦି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ଚାହୁଁଛି ତେବେ ପିସିବିକୁ ହାଇବ୍ରିଡ୍ ମଡେଲ ଆପଣାଇବାକୁ ପଡ଼ିବ । କିନ୍ତୁ ଏନେଇ ପିସିବି ସର୍ତ୍ତ ରଖିବା ପରେ ମଧ୍ୟ ମିଟିଂରେ ଅନୁପସ୍ଥିତ ରହୁଥିବାରୁ ଚାମ୍ପିୟନ୍ସ ଟ୍ରଫି ନେଇ କୌଣସି ନିଷ୍କର୍ସ ବାହାରି ପାରୁନି । ଯାହାଫଳରେ ଏବେ ପାକିସ୍ତାନର କ୍ରିକେଟ୍ ବୋର୍ଡକୁ ଅନ୍ତିମଥର ପାଇଁ ସୁଯୋଗ ଦେଇଛି ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ । ଚାମ୍ପିୟନ୍ସ ଟ୍ରଫି ପାଇଁ ଭେନ୍ୟୁ, ମ୍ୟାଚ ସୂଚୀ ନେଇ ଆସନ୍ତା ୭ ତାରିଖରେ ବଡ଼ ବୈଠକ ଆୟୋଜିତ ହେବ ।
ଆଇସିସି ଏନେଇ ପିସିବିକୁ ସଫା ସଫା କହିଛି ଯେ, ହାଇବ୍ରିଡ୍ ମଡେଲ ଆପଣାଇଲେ ଚାମ୍ପିୟନ୍ସ ଟ୍ରଫି ହୋଷ୍ଟିଂ କରିବାର ସୁଯୋଗ ପାକ୍ ପାଖରେ ରହିବ । ତେଣୁ ଆସନ୍ତା ୭ ତାରିଖରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏନେଇ ନିଜର ଶେଷ ନିଷ୍ପତ୍ତି ଆଇସିସିକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛି ।