କନକ ବ୍ୟୁରୋ: ଆସନ୍ତା ବର୍ଷ ପାକିସ୍ତାନରେ ଆୟାେଜିତ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଆଉ ଏଥିପାଇଁ ପାକିସ୍ତାନରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ତେବେ ନଭେମ୍ବର ୧୪ ତାରିଖରେ ପାକିସ୍ତାନରେ ପହଞ୍ଚିଛି ଚାମ୍ପିୟନ୍ସ ଟ୍ରଫି । ଯାହାକୁ କି ସାରା ପାକିସ୍ତାନରେ ପ୍ରଦର୍ଶିତ କରାଯିବ ବୋଲି ପିସିବି ଲକ୍ଷ୍ୟ ରଖିଛି । ହେଲେ ଏହାରି ଭିତରେ କିନ୍ତୁ ପାକିସ୍ତାନକୁ ଲାଗିଛି ବଡ ଝଟକା । ପାକ୍ ଅଧିକୃତ କାଶ୍ମୀରକୁ ଚାମ୍ପିୟନ୍ସ ଟ୍ରଫି ନିଆଯାଇପାରିବ ନାହିଁ ବୋଲି ସିଧା ସିଧା ଶୁଣେଇ ଦେଇଛି ଆଇସିସି ।
ତେବେ ଇସାଲାମାବାଦରେ ଚାମ୍ପିୟନ୍ସ ଟ୍ରଫି ପହଞ୍ଚିବା ପରେ ଏହାକୁ ସାରା ଦେଶରେ ଟୁର୍ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଲକ୍ଷ୍ୟ ରଖିଛି । ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ ଏହି ଟ୍ରଫି ପାକିସ୍ତାନ ଭ୍ରମଣ କରିବ । ଏହାସହ ପାକ୍ ଅଧିକୃତ କାଶ୍ମୀରକର ତିନୋଟି ସହରକୁ ମଧ୍ୟ ଟ୍ରଫି ନେବାକୁ ପ୍ଲାନ୍ ପ୍ରସ୍ତୁତ ହେଇଥିଲା । ହେଲେ ବିସିସିଆଇର ଅଭିଯୋଗ ପରେ ଏବେ ଏହାକୁ ବାତିଲ୍ କରିଛି ପାକିସ୍ତାନ୍ କ୍ରିକେଟ୍ ବୋର୍ଡ ।
ସୂଚନାଯୋଗ୍ୟ ଯେ, ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଫେବୃଆରୀ୧୯ ରୁ ମାର୍ଚ୍ଚ ୯ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାର ଅଛି । କିନ୍ତୁ ଏହାର କାର୍ୟ୍ୟସୂଚୀ ଏପର୍ୟ୍ୟନ୍ତ ଆସିନାହିଁ । ଅନ୍ୟପକ୍ଷରେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ନିଜ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଛି । ଏଭଳି ପରିସ୍ଥିତିରେ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ କରାଯାଇପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି । ନଚେତ୍ ପୂରା ଚାମ୍ପିଅନ୍ସ ଟ୍ରଫିକୁ ପାକିସ୍ତାନରୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରାଯାଇପାରେ ବୋଲି କୁହାଯାଉଛି ।
Follow Us