କନକ ବ୍ୟୁରୋ : ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସାମ୍ସ କନଷ୍ଟାସଙ୍କୁ ଧକ୍କା ମାରିବା ପାଇଁ ତାଙ୍କ ମ୍ୟାଚ ଫିସରେ ୨୦ ପ୍ରତିଶତ ଜୋରିମାନା ଲାଗିଛି ଓ ଗୋଟିଏ ଡିମେରିଟ ଅଙ୍କ ଦିଆଯାଇଛି । ଏହି ଘଟଣା ବକ୍ସିଂ ଡେ' ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ।

Advertisment

ତେବେ ସବୁଠାରୁ ବଡ କଥା ହେଉଛି କୋହଲି ନିଲମ୍ୱନରୁ ବଞ୍ଚିଯାଇଛନ୍ତି । କୋହଲିଙ୍କ ଉପରେ ଆଇସିସି ମାତ୍ର ୫ ଘଣ୍ଟାରେ ଏହି ଆକ୍ସନ ନେଇଛି । ଅନେକ ମ୍ୟାଚରେ ଖେଳ ଶେଷ ହେବା ପରେ ଆକ୍ସନ ନିଆଯାଇଥାଏ । ହେଲେ ଏହି ମ୍ୟାଚରେ ପ୍ରଥମ ଦିନରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ବିରାଟ କୋହଲି-କୋଷ୍ଟାସଙ୍କ ଏହି ଘଟଣାକୁ ଦୁର୍ଲଭ ଘଟଣା ବି କହିହେବ । 

ବିରାଟ କୋହଲିଙ୍କୁ ଆଇସିସିର ଆଚାର ସଂହିତାର ଆର୍ଟିକିଲ ୨.୧୨ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାସହ କ୍ରିକେଟରେ କୌଣସି ବି ପ୍ରକାରର ଅନୁଚିତ ଶାରିରୀକ ଗଣ୍ଡଗୋଳ ନିଷେଧ ଅଛି । ଯଦି କୌଣସି ଖେଳାଳି ଜାଣିଶୁଣି ଅନ୍ୟ ଖେଳାଳିଙ୍କୁ ଧକ୍କା ମାରନ୍ତି କିମ୍ବା କାନ୍ଧ ମାରନ୍ତି ତେବେ ତାଙ୍କ ଉପରେ ଫାଇନ ଲଗାଯାଇଥାଏ କିମ୍ବା ନିଲମ୍ବନ କରାଯାଇଥାଏ । 

ଏହି ଘଟଣା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନରେ ହୋଇଛି । ୧୦ରୁ ୧୧ତମ ଓଭର ମଝିରେ ବ୍ରେକ ସମୟରେ ଏହା ଘଟିଛି । ସାମ କନଷ୍ଟାସଙ୍କୁ ବିରାଟ କୋହଲି ଧକ୍କା ମାରିଥିଲେ, ଯେତେବେଳେ ସେ କ୍ରିଜରେ ଯାଉଥିଲେ । କନଷ୍ଟାସଙ୍କୁ ଏହା ପସନ୍ଦ ଆସିନଥିଲା । ସେ ବିରାଟ କୋହଲିଙ୍କୁ କିଛି କହିଥିଲେ, ଏହାପରେ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା । ସେହି ସମୟରେ ଅମ୍ପାୟର ଓ ଉସମାନ ଖୱାଜା ଘଟଣାକୁ ଶାନ୍ତ କରାଇଥିଲେ ।