କନକ ବ୍ୟୁରୋ : ଉତ୍ତରପ୍ରଦେଶର ଶାହାଜାହାନପୁରରେ ଓକିଲମାନଙ୍କ ସାମ୍ନାରେ କାନ ଧରି ଉଠ-ବସ ହେବା ଘଟଣାରେ ଚର୍ଚ୍ଚାକୁ ଆସିଥିବା ଆଇଏଏସ୍ ଅଧିକାରୀ ରିଙ୍କୁ ସିଂହ ରାହୀଙ୍କୁ ତାଙ୍କ ପଦରୁ ବଦଳି କରାଯାଇଛି । ଶାହାଜାହାନପୁରର ପୁୱାୟାଁ ତହସିଲରେ ଏସଡିଏମ୍ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ତାଙ୍କୁ ସେଠାରୁ ହଟାଇ ଲକ୍ଷ୍ନୌ ସ୍ଥିତ ରାଜସ୍ୱ ପରିଷଦକୁ ସ୍ଥାନାନ୍ତର କରାଯାଇଛି ।
୨୦୨୨ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ରିଙ୍କୁ ସିଂହ ରାହୀ ଜୁଲାଇ ୨୮ ତାରିଖରେ ପୁୱାୟାଁର ଏସଡିଏମ୍ ଭାବେ ଯୋଗ ଦେଇଥିଲେ । ତା' ପରଦିନ ସେ ତହସିଲ ପରିସର ନିରୀକ୍ଷଣ କରୁଥିବା ବେଳେ ଜଣେ ଓକିଲଙ୍କୁ କାନ୍ଥ ପାଖରେ ପରିସ୍ରା କରୁଥିବାର ଦେଖିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଠ୍-ବସ କରାଇଥିଲେ ।
ଏହି ଘଟଣା ପରେ ସ୍ଥାନୀୟ ଓକିଲମାନେ ଏହାର ବିରୋଧ କରିଥିଲେ । ଓକିଲମାନେ ଧାରଣାରେ ବସିଥିବା ବେଳେ ଏସଡିଏମ୍ ରାହୀ ସେମାନଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ । ଓକିଲମାନେ ଅଭିଯୋଗ କରିଥିଲେ ଯେ ତହସିଲ ପରିସରରେ ଥିବା ଶୌଚାଳୟଗୁଡ଼ିକ ଅତ୍ୟନ୍ତ ଅପରିଷ୍କାର, ଯେଉଁଥିପାଇଁ ଲୋକେ ବାହାରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି । ସେମାନେ ପ୍ରଶ୍ନ କରିଥିଲେ ଯେ, ଏହି ଅବ୍ୟବସ୍ଥା ପାଇଁ ପ୍ରଶାସନ ଦାୟୀ ନୁହେଁ କି ? ଓକିଲମାନଙ୍କ ଏହି ଯୁକ୍ତି ପରେ, ଆଇଏଏସ୍ ରାହୀ ପ୍ରାଶାସନିକ ତ୍ରୁଟିକୁ ସ୍ୱୀକାର କରିଥିଲେ । ନିଜର ଦାୟିତ୍ୱକୁ ସ୍ୱୀକାର କରି ସେ ସମସ୍ତଙ୍କ ସାମ୍ନାରେ ନିଜେ କାନ ଧରି ପାଞ୍ଚ ଥର ଉଠ୍-ବସ ହୋଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯିବା ପରେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।
ଏହି ଘଟଣାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇଥିଲେ । ଏହାକୁ ସର୍ବଭାରତୀୟ ସେବା ଆଚରଣ ନିୟମାବଳୀର ଉଲ୍ଲଂଘନ ବୋଲି ବିବେଚନା କରାଯାଇଥିଲା । ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ତୁରନ୍ତ ରିଙ୍କୁ ସିଂହ ରାହୀଙ୍କୁ ଏସଡିଏମ୍ ପଦରୁ ହଟାଇ ଲକ୍ଷ୍ନୌସ୍ଥିତ ରାଜସ୍ୱ ପରିଷଦ ସହ ସଂଲଗ୍ନ କରିଛନ୍ତି ।
ଏହି ଘଟଣା ସମ୍ପର୍କରେ ରିଙ୍କୁ ସିଂହ ରାହୀ କହିଛନ୍ତି, "ସେମାନେ ପଚାରିଥିଲେ ଯେ ତହସିଲ ଅଫିସ୍ ଅପରିଷ୍କାର ପରିସ୍ଥିତି ପାଇଁ ମୁଁ ଦାୟିତ୍ୱ ନେବି କି ଏବଂ ନିଜେ ଉଠ-ବସ ହେବି କି ? ମୁଁ ହଁ କହିଲି, କାରଣ ଏହା ଆମର ତ୍ରୁଟି ଥିଲା, ଏବଂ ମୁଁ ତାହା କଲି ।" ଏହି ଘଟଣା ପ୍ରାଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କ ସହ ସେମାନଙ୍କ ବ୍ୟବହାର ଉପରେ ଏକ ନୂଆ ବିତର୍କ ସୃଷ୍ଟି କରିଛି ।