କନକ ବ୍ୟୁରୋ: କିରି ପାଇବାବେଳେ ସମାଜ ପାଇଁ କାମ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ଚଉକିରେ ବସିବା ପରେ ଭୁଲି ଯାଉଛନ୍ତି ସବୁକିଛି । ଯୋଜନାବଦ୍ଧ ଭାବେ କରୁଛନ୍ତି ଦୁର୍ନୀତି । ଲାଞ୍ଚ ନେବାବେଳେ ଧରାପଡୁଛନ୍ତି ଉଚ୍ଚ ପଦରେ ଥିବା ଉଚ୍ଚ ଶିକ୍ଷିତ । ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ ପରେ ବି ମାନୁନାହାନ୍ତି ବଡ଼ବାବୁ ।  

Advertisment


ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯିଏ ଦୁର୍ନୀତି କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିନକ ପୂର୍ବରୁ ମୁଖ୍ୟଶାସନ ସଚିବ ସବୁ ବିଭାଗର ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଦୁର୍ନୀତିକୁ ଅଫିସ ସ୍ତରରେ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଡମ୍ବନାର ବିଷୟ ତାହା ପାଣିର ଗାର ହୋଇଯାଉଛି ।

ଲୋକେ କୁହନ୍ତି ଅଭାବରୁ ସ୍ବାଭାବ ନଷ୍ଟ ହୁଏ, କିନ୍ତୁ ଏହି କଥା ଏବେ ବଦଳିଗଲାଣି । ଉଚ୍ଚ ବେତନରେ ଚାକିରି କରୁଥିବା ଉଚ୍ଚ ଶିକ୍ଷିତ ଓ ବଡ ପଦବୀରେ ଥିବା ବାବୁ ମାନେ ବେଶୀ ଦୁର୍ନୀତି କରୁଛନ୍ତି । ଗତ ଜୁନ୍ ମାସରେ କଳାହାଣ୍ଡି ଧର୍ମଗଡର ଉପଜିଲ୍ଲାପାଳ ଆଇଏଏସ ଧିମାନ ଚକମା ଲାଞ୍ଚ ନେଇ ଧରାପଡ଼ିଥିଲେ । ଗତକାଲି ସମ୍ବଲପୁର ବାମରା ତହସିଲଦାର ଓଏଏସ୍ ଅଶ୍ବିନୀ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଛନ୍ତି । ଧିମାନ ୨୦୨୧ ବ୍ୟାଚର ଆଇଏଏସ ଟପର୍ ହୋଇଥିବାବେଳେ ଅଶ୍ବିନୀ ୨୦୧୯ ବ୍ୟାଚର ଓଏଏସ ଟପର ଥିଲେ । ଚାକିରି ପାଇବା ସମୟରେ ସମାଜର ବିକାଶ ପାଇଁ କାମ କରିବେ ବୋଲି କହିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଚାକିରି କରିବା ପରେ ବାବୁ କହିଥିବା କଥାକୁ ଲମାନେ ଭୁଲିଗଲେ ।  

୨୪ଘଣ୍ଟା ଭିତରେ ଆଉ ଦୁଇ ସରକାରୀ ବାବୁ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଚିତ୍ତରଞ୍ଜନ ରାଉତ୍, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରମିକ କାର୍ଡ କରାଇଦେବାକୁ ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଥିଲା ଦୁର୍ନୀତିନିବାରଣ ସଂସ୍ଥା । ସେହିପରି ମୟୂରଭଞ୍ଜ ଜିଲ୍ଲା ଲୁହିଶିଳା ପଞ୍ଚାୟତ ପିଇଓ ପୁଷ୍ପିତା ମହାକୁଡ଼ ୫ଲକ୍ଷ ୬୮ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ହେରଫେର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । 

ବଡ଼ କଥା ହେଉଛି କେବଳ ଏଇମାନେ ନୁହନ୍ତି , ଭିଜିଲାନ୍ସ ଦ୍ବାରା ଧରାପଡୁଥିବା ବାବୁଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଇଞ୍ଜିନିୟର ଓ ରେଞ୍ଜର । ବାବୁମାନେ ସରକାରୀ ତହବିଲରୁ ଚଳୁ କରି ନିଜ ସମ୍ପତ୍ତି ବଢ଼ାଉଛନ୍ତି ଆଉ ଶେଷରେ ଧରାପଡି ଜେଲ ଯାଉଛନ୍ତି ।