କନକ ବ୍ୟୁରୋ : ମଣିଷ ତୁଚ୍ଛାରେ ସୁନାକୁ ଗହଣା କହିଥାଏ କିନ୍ତୁ ଅସଲ ଅଳଙ୍କାର ହେଉଛି ନମ୍ର ବ୍ୟବହାର , ଅନ୍ୟମାନଙ୍କ ପ୍ରତି କରୁଣାଭାବ ଏବଂ ଦୟାଭାବ । ଆପଣ ଅନେକ ସମୟରେ ଦେଖିଥିବେ କେଉଁ ସ୍କୁଲରୁ ଶିକ୍ଷକ ବଦଳିହେଲେ କିମ୍ବା କେଉଁଠି କେଉଁ ଅଫିସରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ ଥାଏ । ହେଲେ କାହିଁକି ? କାରଣ ହେଉଛି ଯେଉଁ ବ୍ୟକ୍ତିଜଣକ ବିଦାୟ ନେଉଛନ୍ତି ସେ ସ୍ବଳ୍ପ ସମୟ ପାଇଁ କାର୍ଯ୍ୟରେ ଥାଆନ୍ତୁ ନା କାହିଁକି କିନ୍ତୁ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଆଜିର ସମୟରେ ଯେଉଁଠି ଅଫିସ୍ ଭିତରେ ଶସ୍ତା ରାଜନୀତିର ବାତାବରଣ ମୁଣ୍ଡ ଟେକୁଛି , ପାତରଅନ୍ତରର ପ୍ରହେଳିକା ଚାଲିଛି ସେଇଠି ସହକର୍ମୀ ତଥା କର୍ମଚାରୀଙ୍କୁ ପରିବାରର ସଦସ୍ୟ ପରି ଭାବିବା ହିଁ ମଣିଷର ବ୍ୟକ୍ତିତ୍ବକୁ ପରିମାର୍ଜିତ କରେ । ଆଉ ଏମିତି ହିଁ ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ସଂସ୍କୃତି ଜୈନ । ମଧ୍ୟପ୍ରଦେଶ ସରକାର ସମ୍ପ୍ରତି ସିଓନି କଲେକ୍ଟର ସଂସ୍କୃତି ଜୈନଙ୍କ ସମେତ ୧୨ଟି ଜିଲ୍ଲାର କଲେକ୍ଟରଙ୍କୁ ବଦଳି କରିଛନ୍ତି । ଏହି ୨୦୧୫ ବ୍ୟାଚ୍ ଅଧିକାରୀ ପ୍ରାୟ ଗୋଟିଏ ବର୍ଷ ପାଇଁ ସିଓନିରେ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ତାଙ୍କୁ ଭୋପାଳର ମ୍ୟୁନିସିପାଲ କର୍ପୋରେସନର କମିସନର ଏବଂ ମଧ୍ୟପ୍ରଦେଶ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡର ଅତିରିକ୍ତ ପରିଚାଳନା ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି ।

Advertisment

ଭାରତୀୟ ପ୍ରାଶାସନିକ ସେବାରେ ବଦଳି ହେବା ସାଧାରଣ କଥା । କିନ୍ତୁ ସଂସ୍କୃତି ଜୈନଙ୍କ କ୍ଷେତ୍ରରେ ବଦଳି ନୁହେଁ ଲାଗୁଥିଲା ଯେମିତି ବାପଘରୁ ଝିଅ ବିଦାୟୀ ନେଉଛି । ଆଇଏଏସଙ୍କ ବିଦାୟ ସମାରୋହ ପାର୍ଟି ପରେ ସହକର୍ମୀ ଓ କର୍ମଚାରୀମାନେ ମିଶି ତାଙ୍କୁ ଏକ ପାଲିଙ୍କିରେ ବସାଇ କାନ୍ଧରେ ଉଠାଇ ନେଇଥିଲେ । ଏହି ପାଲିଙ୍କିରେ କେବଳ ସଂସ୍କୃତି ନୁହେଁ ତାଙ୍କର ୨ ଝିଅ ମଧ୍ୟ ବସିଥିଲେ ଆଉ ପଛରେ ଗୀତ ବାଜୁଥିଲା ‘ପାଲକି ମେ ହୋକର ସୱାର ଚଲିରେ , ମେ ତୋ ଅପନେ ସାଜନ୍ କେ ଦ୍ବାର୍ ଚଲିରେ ।’ ପାଲିଙ୍କିରେ ଆଇଏଏସ୍ ବସିଥିବା ବେଳେ ତଳେ ଚାଲୁଥିବା କର୍ମଚାରୀଙ୍କ ଆଖି ଜକେଇ ଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ୟୁଜର୍ସ ମଧ୍ୟ ଏଭଳି ଆଇଏଏସଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଆଇଏଏସ୍ ଅଧିକାରୀ ସଂସ୍କୃତି ଜୈନଙ୍କୁ ସେହି ଅଧିକାରୀମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ ଯେଉଁମାନେ ପ୍ରାଶାସନିକ ସେବାକୁ ମାନବୀୟ କରୁଣା ସହିତ ଏକ କରିଛନ୍ତି ।