କନକ ବ୍ୟୁରୋ: କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ବାବୁ । ଭିଜିଲାନ୍ସ ଖୁଆଡ଼ରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚାକ୍‌ମା । କ୍ରସର୍‌ ବନ୍ଦ କରିଦେବାକୁ ଧମକ ଦେଇ ଧୀମାନ୍‌ ମାଗିଥିଲେ ୨୦ଲକ୍ଷ ଟଙ୍କା । ପ୍ରଥମ କିସ୍ତିରେ ୧୦ଲକ୍ଷ ଟଙ୍କା ରବିବାର ପହଞ୍ଚିଥିଲା ତାଙ୍କ ସରକାରୀ ବାସଭବନରେ । କ୍ରସର ମାଲିକଙ୍କୁ ଘରକୁ ଡକାଇ ଧୀମାନ୍‌ ଟଙ୍କା ଗଣୁଥିଲାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌ ।  ଉଭୟ ଟଙ୍କା ଓ ଧୀମାନ୍‌ଙ୍କ ହାତ କେମିକାଲ୍‌ରେ ଧୋଇବା ପରେ ଲାଞ୍ଚ ଟଙ୍କା ସେ ଧରିଥିବା ସ୍ପଷ୍ଟ ହୋଇଛି ।

Advertisment

ତାଙ୍କ ସରକାରୀ ବାସଭବନରୁ ଆଉ ୪୭ଲକ୍ଷ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗତକାଲିଠାରୁ ଝାଳବୁହା ଜେରା କରିବା ପରେ ଆଜି ଅପରାହ୍‌ଣରେ କଳାହାଣ୍ଡି ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା । ପ୍ରଶିକ୍ଷଣ ସରିବା ପରେ ୨୦୨୧ରେ ବାରିପଦା ଏସିଏଫ୍‌ ଭାବେ ନିଯୁକ୍ତି ପାଇଥିଲେ । ସେହିବର୍ଷ ୟୁପିଏସ୍‌ସିରେ ପାଇଥିଲେ ୨୨୭ ରାଙ୍କ । ୨୦୨୪ ଜାନୁଆରିରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ପରିବାରର ବଡ଼ ପୁଅ ହେଉଛନ୍ତି ଧୀମାନ୍‌ । ତାଙ୍କ ବାପା ଜଣେ ସ୍କୁଲ୍‌ ଶିକ୍ଷକ ହୋଇଥିଲା ବେଳେ ମା’ ଗୃହିଣୀ । ତ୍ରିପୁରାର କାଞ୍ଚନପୁର ଭଳି ଛୋଟିଆ ସହରରୁ ଆଇଏଏସ୍‌ ପାଇଥିବାରୁ ସେ ବେଶ୍‌ ଚର୍ଚ୍ଚାର ରହୁଥିଲେ । ନିଜ ଗାଁ, ସହର ପାଇଁ ଅନେକ କିଛି ସ୍ବପ୍ନ ଦେଖିଥିବା କହୁଥିଲାବେଳେ ଶିକ୍ଷାର ବିକାଶ ପାଇଁ କାମ କରିବେ ବୋଲି ଆଇଏଏସ୍‌ ପାଇବା ପରେ କହିଥିଲେ ।