କନକ ବ୍ୟୁରୋ:  ଓଡ଼ିଶା ଅଫିସର ଏବେ ଦିଲ୍ଲୀ ମୁହାଁ । ଡେପୁଟେସନରେ ଯାଉଛନ୍ତି ଅଧିକ, ଫେରୁଛନ୍ତି କମ୍ । ଯାହା ରାଜ୍ୟ ପ୍ରଶାସନରେ ଅଫିସର ମରୁଡ଼ି ଭଳି ସ୍ଥିତି ସୃଷ୍ଟି କରିଛି । ରାଜ୍ୟରେ ଥିବା ଅଫିସରଙ୍କ କାନ୍ଧରେ ରହୁଛି ଏକାଧିକ ବିଭାଗର ଦାୟିତ୍ବ । ତେଣୁ ସରକାରଙ୍କ ଯୋଜନାର ସଫଳ ରୂପାୟନ କେମିତି ହେବ ତାହା ସବୁଠୁ ବଡ଼ ପ୍ରଶ୍ନ । ଦିଲ୍ଲୀକୁ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରଙ୍କ ଲମ୍ବା ଧାଡ଼ି ଲାଗିଛି । ଗତ ୧୫ ମାସ ଭିତରେ ପାଖାପାଖି ୯ ଆଇଏଏସ୍‌ ଅଧିକାରୀ ଡେପୁଟେସନରେ ଦିଲ୍ଲୀ ଯାଇସାରିଲେଣି । 
ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ଆଇଏଏସ୍‌ ଦମ୍ପତି ସମର୍ଥ ବର୍ମା ଓ ସ୍ବଧା ଦେବ ସିଂ । ଏହି ୨ ଜଣଙ୍କ ଦିଲ୍ଲୀ ନେବାକୁ ମୋହର ମାରିଛନ୍ତି କେନ୍ଦ୍ର ସରକାର। ସମର୍ଥଙ୍କୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଓ ସ୍ବାଧାଙ୍କୁ ଜନଗଣନା ନିର୍ଦ୍ଦେଶକ ଭାବେ ଗୁରୁଦାୟିତ୍ବ ମିଳିଛି। ହେଲେ ସବୁଠୁ ବଡ କଥା ହେଉଛି ଏତେ ସଂଖ୍ୟକ ଆଇଏଏସ ଡେପୁଟେସନରେ ଯାଉଥିବା ବେଳେ ଓଡ଼ିଶା ପ୍ରଶାସନରେ ଆଇଏଏସ୍‌ ମରୁଡ଼ି ଦେଖିବାକୁ ମିଳିଛି। ରାଜ୍ୟରେ ୨୪୮ ଆଇଏଏସ୍‌ଙ୍କ ଆବଶ୍ୟକତା ଥିବା ବେଳେ ଏବେ ୨୦୧ ଜଣ ଆଇଏଏସ୍‌ ଅଛନ୍ତି। ଆହୁରି ୪୭ ଜଣ ଆଇଏଏସ୍‌ଙ୍କର ଆବଶ୍ୟକତା ରହିଛି। ଯାହାର ପ୍ରଭାବ ଯୋଜନା ପ୍ରଣୟନ ଉପରେ ପଡୁଛି।  

Advertisment

କେବଳ ଆଇଏଏସ୍‌ ନୁହେଁ ରାଜ୍ୟରେ ଆଇପିଏସ୍‌ଙ୍କ ଅଭାବ ମଧ୍ୟ ଢେର ଅଧିକ। ଏବେ ୧୨୯ ଆଇପିଏସ୍‌ ଥିବା ବେଳେ ଆହୁରି ୬୬ ଜଣ ଆଇପିଏସ୍‌ଙ୍କର ଆବଶ୍ୟକତା ରହିଛି। ଆଇପିଏସ୍‌ ଅଭାବ ହେତୁ ଆଇନଶୃଙ୍ଖଳା ସ୍ଥିତିକୁ ବଜାୟ ରଖିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ୨୦୧୮ରେ ଅଧିକ ସଂଖ୍ୟକ ଆଇଏଏସ ଓ ଆଇପିଏସ କ୍ୟାଡର ସୃଷ୍ଟି କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲା ରାଜ୍ୟ। ହେଲେ ଏବେ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନି କେନ୍ଦ୍ର ।