କନକ  ବ୍ୟୁରୋ: ସବୁଠୁ କଷ୍ଟକର ପରୀକ୍ଷା ଆଇଏଏସ୍ । ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡ଼େ । ମୌଖିକ ପରକ୍ଷାରେ ପ୍ରାୟ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଏ , ଆଇଏଏସ୍ ପାଇଲେ କରିବେ କ’ଣ? ସମସ୍ତଙ୍କର ବି ପାଖାପାଖି ଗୋଟିଏ ଉତ୍ତର ଥାଏ , ଜନତାଙ୍କ ସେବା କରିବେ । କିନ୍ତୁ ଥରେ ଆଇଏଏସ୍  ପାଇବା ପରେ ସେମାନଙ୍କ ରଙ୍ଗ, ଭାବ ସବୁ ବଦଳିଯାଏ । ଅର୍ଥ ଓ  ପାୱାରର ଗାରିମା ସେମାନଙ୍କୁ ବଶ କରିନିଏ । କିନ୍ତୁ ଏକଥା ବି ସତ ଯେ ସେମାନଙ୍କ ଭିତରୁ କିଛି ଏମିତି ବି ଆଇଏଏସ୍ ଥାନ୍ତି ଯେଉଁମାନେ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରିଥାନ୍ତି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ସୁଖରେ ଭାଗୀ ହୁଅନ୍ତି । ଏମିତି ଜଣେ ଆଇଏଏସ୍ ଅମିତ କଟରିୟା । 

Advertisment

୨୦୦୪ କ୍ୟାଡରର ଆଇଏଏସ୍ ଅମିତ କଟରିୟା । ଦେଶର ସବୁଠୁ ଧନୀ ଆଇଏଏସ୍ । ତାଙ୍କର ବ୍ୟକ୍ତିଗତ ଧନ ପ୍ରାଚୁର୍ଯ୍ୟ ଅଛି । ଧନ ସମ୍ପତ୍ତି ଥାଇ ବି ଜଣେ ଆଇଏଏସ୍ ହୋଇ ଲୋକଙ୍କ ସେବା କରିବାକୁ ମନ ବଳାଇଲେ ଅମିତ । ଆଇଏଏସ୍ ହେବା ପରେ ନିଜ ଇଚ୍ଛାକୁ ପୂରଣ କଲେ । 

ଆଇଏଏସ୍  କେବଳ ଲୋକଙ୍କ ସେବା ପାଇଁ । ତାଙ୍କ କହିବା କଥା, ସେବାରେ ପାଉଣା କ’ଣ? ତେଣୁ ସେ ଦରମା ନିଅନ୍ତି ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ କେବେ ଦରମା ନିଅନ୍ତି ନାହିଁ । କିନ୍ତୁ ନିୟମ ଦୃଷ୍ଟିରୁ ନିଅନ୍ତି ମାତ୍ର ୧ ଟଙ୍କା । ତେଣୁ ତାଙ୍କୁ ଅନେକ କୁହନ୍ତି ଟଙ୍କିକିଆ ଆଇଏଏସ୍  ।

ଅମିତଙ୍କ ଜନ୍ମ ହରିୟାଣା ଗୁରୁଗାଓଁରେ ହୋଇଥିଲା। ଦିଲ୍ଲୀ ପବ୍ଲିକ ସ୍କୁଲରେ ସ୍କୁଲ ପାଠପଢ଼ା, ତା ପରେ ଦିଲ୍ଲୀ IITରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ବ୍ୟାଚେଲର ଅଫ୍ ଟେକ୍ନୋଲୋଜି କଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୟୁପିଏସସି ପାଇଁ ମୂଳଦୁଆ ପକାଇଥିଲା । ୨୦୦୩ରେ ପ୍ରଥମ ପ୍ରୟାସରେ ହିଁ ଆଇଏଏସ୍ ପାଇଲେ । ୨୦୦୪ରେ  IAS ଭାବେ କାର୍ଯ୍ୟରେ ଯୋଗ ଦେଲେ ।

ନିଜ ଚାକିରି ଜୀବନରେ ଛତିଶଗଡ଼ରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରାଶାସନିକ ପଦରେ କାର୍ଯ୍ୟ କରିଛନ୍ତି । ଅନେକ ଜିଲ୍ଲାରେ କଲେକ୍ଟରଭ ଭାବେ ସେବା ଦେଇଛନ୍ତି । ୭ ବର୍ଷ ଗ୍ରାମୀଣ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବା ସମୟରେ ଗାଁ ଲୋକଙ୍କ ପାଇଁ ଦୃଷ୍ଟାନ୍ତମୂଳକ କାମ କରିଛନ୍ତି  । ସେଥିପାଇଁ ତାଙ୍କୁ ଜନତାଙ୍କ ଆଇଏଏସ୍ କୁହାଯାଏ ।

୨୦୧୫, ବସ୍ତର ଜିଲ୍ଲାର କଲେକ୍ଟର ଥିବାବେଳେ, ସନଗ୍ଲାସ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବା ଯୋଗୁଁ ଚର୍ଚ୍ଚାକୁ ଆସିଥିଲେ ଅମିତ । କଳା ଚଷମା ପିନ୍ଧି ମୋଦୀଙ୍କୁ ଭେଟିବା ପ୍ରୋଟୋକଲକୁ ଉଲଂଘନ କରୁଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ତାଙ୍କ କାର୍ଯ୍ୟ ନିଷ୍ଠା ଓ ଦକ୍ଷତା ଏହି ବିବାଦକୁ ଚପାଇଦେଇଥିଲା । ତାଙ୍କ ଆଇଏଏସ୍ ପଦରେ ଛିଟା ଲାଗିନଥିଲା ।

ଅମିତଙ୍କ ପରିବାର ବି ବେଶ୍ ହସଖୁସି ଭରା । ଝିଅ ଓ ପତ୍ନୀ ଅସ୍ମିତା ହାଣ୍ଡାଙ୍କୁ ନେଇ ତାଙ୍କ ଜୀବନ ଗାଡ଼ି ଆଗେଇ ଚାଲିଛି । ପତ୍ନୀ ଅସ୍ମିତା ଜଣେ ପ୍ରଫେସନାଲ ପାଇଲଟ୍ । ଦୁହେଁ ଦୁହିଁଙ୍କ କାମକୁ ବେଶ୍ ସମ୍ମାନ ଦିଅନ୍ତି ।ଏସବୁ ପରେ ଜଣେ ଆଇଏଓ୍ ହୋଇ ବି ମାସକୁ ମାତ୍ର ଟଙ୍କାଏ ଦରମା ନେବା ଅମିତଙ୍କୁ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ଦେଇଛି ।