କନକ ବ୍ୟୁରୋ: ମହାକାଶକୁ ଯାତ୍ରା କରିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ୧୯୮୪ରେ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାଇ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିବେ । ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସଏକ୍ସର ଫାଲକନ ୯ ରକେଟ୍ ମାଧ୍ୟମରେ ଆକ୍ସିଓମ-୪ ମିସନରେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ମିସନରେ ଶୁଭାଂଶୁ ପାଇଲଟ୍ ଭାବେ ଦାୟିତ୍ୱ ନେଇଛନ୍ତି, ଯେଉଁଥିରେ ଆମେରିକାର ପେଗୀ ହ୍ୱିଟସନ୍ କମାଣ୍ଡର ଅଛନ୍ତି । ଶୁଭାଂଶୁ ଶୁକ୍ଲାଙ୍କ ମହାକାଶ ଯାତ୍ରାକୁ ନେଇ ବଡ଼ ବୟାନ ଦେଇଛନ୍ତି ଇସ୍ରୋର ପୂର୍ବତନ ମୁଖ୍ୟ ଏସ ସୋମନାଥ ।
ଏସ ସୋମନାଥ କହିଛନ୍ତି ଯେ ଏହା କେବଳ ବୈଜ୍ଞାନିକ ଉପଲବ୍ଧି ମାତ୍ର ନୁହେଁ । ଏହା ୧୪୦ କୋଟି ଭାରତୀୟଙ୍କ ମହାକାଶ ସ୍ୱପ୍ନର ପ୍ରତୀକ । ଏହାଦ୍ୱାରା ଭାରତର ଗଗନଯାନ ମିସନ ଆହୁରି ଗତିଶୀଳ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଏସ ସୋମନାଥ । ଭାରତର ଗଗନଯାନ କାର୍ଯ୍ୟକ୍ରମକୁ ୨୦୧୯ରେ ମଞ୍ଜୁରୀ ମିଳିଛି । ୨୦୨୬ ମସିହାରେ ସ୍ୱଦେଶୀ ରକେଟରେ ମାନବ କ୍ୟାପସୁଲ ପଠାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏଥିପାଇଁ ଇସ୍ରୋ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ମାନବ କ୍ୟାପସୁଲ ଡିଜାଇନ କରିବା, ସେଥିରେ ଜୀବନ ସମର୍ଥନ ପ୍ରଣାଳୀ ଭଳି ଆହ୍ୱାନ ରହିଛି । ତେଣୁ ଏସବୁକୁ ଆଖିରେ ରଖି ୨୦୨୩ରେ ଭାରତ ଆଇଏସଏସ ଯାତ୍ରା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗ ପାଇଁ ପ୍ରସ୍ତାବ ରଖିଥିଲା ।
୨୦୨୪ରେ ଆମେରିକା ସହ ଚୁକ୍ତି ପରେ ଆକ୍ସିଓମ ସ୍ପେସ ସହ ବୁଝାମଣା ହୋଇଥିଲା । ଏହାପରେ ଇସ୍ରୋର ଏକ ଟିମ୍ କଠିନ ମୂଲ୍ୟାୟନ ପରେ ଶୁଭାଂଶୁ ଶୁକ୍ଲାଙ୍କୁ ଚୟନ କରିଥିଲେ । ଏବେ ୧୪ ଦିନିଆ ମହାକାଶ ମିସନରେ ଯାଇଥିବା ଶୁଭାଂଶୁ ୬୦ଟି ବୈଜ୍ଞାନିକ ପରୀକ୍ଷା କରିବେ, ଯେଉଁଥିରୁ ୭ଟି ଭାରତୀୟ ଗବେଷକଙ୍କ ଦ୍ୱାରା ପ୍ରସ୍ତାବିତ । ସୂଚନା ଅନୁସାରେ ଡକିଂ ଗୁରୁବାର ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ହେବ। ଏହି ମିସନ ଭାରତର ଗଗନଯାନ ମିସନ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।