କନକ ବ୍ୟୁରୋ : ଓଡିଶାର ଯେଉଁସବୁ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା, ଏବେ ସେହି ସବୁ ଜିଲ୍ଲାକୁ ପୁଣି ଥରେ ମାଓ ଡର ଫେରିଛି । ବିଶେଷକରି ସମ୍ବଲପୁର ଓ ଏହାର ଆଖପାଖ ଜିଲ୍ଲାରେ ମାଓବାଦୀ ସକ୍ରିୟ ହେବା ଖବର ସାଧାରଣ ଲୋକଙ୍କ ଭିତରେ ଭୟ ଓ ପୁଲିସ୍ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

Advertisment

ସମ୍ବଲପୁର ଜିଲ୍ଲାରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଥିବା ଚର୍ଚ୍ଚା ଭିତରେ କନକ ନ୍ୟୁଜ ହାତରେ ଲାଗିଛି ବଡ଼ ପ୍ରମାଣ । ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ବଡମାଳ ଫାଣ୍ଡି ଅନ୍ତର୍ଗତ କଣ୍ଟିବାହାଳ ଗାଁ ନିକଟକୁ କାଲି ଆସିଥିଲେ ମାଓବାଦୀ । ଗାଁର ଲୋକମାନେ ଶୌଚ ହେବାକୁ ଯାଇଥିବାବେଳେ ଦେଖିବାକୁ ପାଇଥିଲେ । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କାଲି ମାଓବାଦୀଙ୍କୁ ଦେଖିଥିଲୁ ।  ମାଓବାଦୀଙ୍କୁ ଦେଖିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।  

ମାଓବାଦୀ ସୁନାମୁଦି, କୋଷଣ୍ଡା, ପିପିଲିକାନି, କଣ୍ଟିବାହାଲ ଦେଇ ଡ଼ିମିରିବାହାଲ କାଳିଆ ପାହାଡ଼ରେ ଥିବା ଅନୁମାନ କରାଯାଉଛି  l ମାଓ ଗତିବିଧି ସୂଚନା ମିଳିବା ପରେ ଚାରଗଡ ଜଂଗଲ ସମେତ ପାଖ ଜଙ୍ଗଲରେ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଡ୍ରୋନ ଉଡାଇ ମାଓ ଗତିବିଧି ଉପରେ ନଜର ରଖାଯାଇଛି । 

ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡ ସୀମାରେ ମାଓ ଦମନ କାର୍ଯ୍ୟକ୍ରମ ଜୋରଦାର ହେବା ପରେ ସେମାନେ ଓଡ଼ିଶା ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଛତିଶଗଡ଼ରୁ ନୂଆପଡ଼ା ଜଙ୍ଗଲରେ ପଶି ବଲାଙ୍ଗିର ପାଟଣାଗଡ଼ ଦେଇ ସୋନପୁର, ସମ୍ବଲପୁର ଆସିଥିବା ଅନୁମାନ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରମାଳ ଥାନା, ବଡ଼ମାଳ ଫାଣ୍ଡି, କିସିଣ୍ଡା ଓ ନାକଟି ଦେଉଳ ଥାନାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।