କନକ ବ୍ୟୁରୋ: ପୁଣି ଭାରତୀୟ କ୍ରିକେଟର ଗୁମର ଖୋଲିଲେ ଆଉ ଜଣେ ପୂର୍ବତନ କ୍ରିକେଟର । ମହେନ୍ଦ୍ର ସିଂ ଧୋନୀଙ୍କ ବିରୋଧରେ ଖୋଲିଲେ ମୁହଁ । ଏହି ପୂର୍ବତନ ଭାରତୀୟ କ୍ରିକେଟର ହେଉଛନ୍ତି ଦିନେଶ କାର୍ତ୍ତିକ । ସେ କହିଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ତାଙ୍କୁ ଏଣ୍ଡୁଅ ହେବାକୁ ପଡ଼ିଥିଲା । କାରଣ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ବିଭିନ୍ନ ଭୂମିକାରେ ଖାପ ଖୁଆଇବାକୁ ପଡିଥିଲା । କାର୍ତ୍ତିକ ଧୋନୀଙ୍କ ତିନି ମାସ ପୂର୍ବରୁ 2004 ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ, କିନ୍ତୁ ଧୋନୀଙ୍କ ଆଗମନ ପରେ ତାଙ୍କ ପାଇଁ ଦଳରେ ସ୍ଥାନ ପାଇବା ବହୁତ କଷ୍ଟକର ହୋଇଗଲା ।

Advertisment

କାର୍ତ୍ତିକ କହିଥିଲେ ଯେ ଧୋନୀ ତାଙ୍କ କ୍ୟାରିୟରର ଆରମ୍ଭରେ ବିଶାଳ ବିଶାଳ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଏବଂ ଶୀଘ୍ର ଭାରତର ପ୍ରମୁଖ ୱିକେଟକିପର-ବ୍ୟାଟସମ୍ୟାନ ହୋଇଗଲେ । ସେ କହିଥିଲେ ଯେ ସେହି ସମୟରେ ଧୋନୀଙ୍କ ଶକ୍ତିଶାଳୀ ହିଟିଂକୁ ମହାନ ଗ୍ୟାରି ସୋବର୍ସଙ୍କ ସହ ତୁଳନା କରାଯାଉଥିଲା ।

କାର୍ତ୍ତିକ କହିଛନ୍ତି, "ସେତେବେଳେ ରାହୁଲ ଦ୍ରାବିଡ ୱିକେଟକିପିଂ କରୁଥିଲେ, କିନ୍ତୁ ସେ ନିଜେ କହିଥିଲେ ଯେ ଏବେ ସେ କେବଳ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ ଚାହାନ୍ତି । ସେତେବେଳେ ଦଳକୁ ଜଣେ ସ୍ଥାୟୀ ୱିକେଟକିପର ଆବଶ୍ୟକ ଥିଲା । ମୁଁ ଅଳ୍ପ ସମୟ ପାଇଁ ସୁଯୋଗ ପାଇଲି, କିନ୍ତୁ ମୁଖ୍ୟ ଭୂମିକା କେବଳ ଧୋନୀଙ୍କ ପାଇଁ ହିଁ ଥିଲା । ସେ ଆସିବା ମାତ୍ରେ ସବୁକିଛି ବଦଳିଗଲା ।"

କାର୍ତ୍ତିକ କହିଛନ୍ତି ଯେ ଧୋନୀଙ୍କ ସଫଳତା ପରେ, ତାଙ୍କୁ ଦଳରେ ରହିବା ପାଇଁ ଅନେକ ଥର ନୂତନ ଭୂମିକା ଗ୍ରହଣ କରିବାକୁ ପଡିଥିଲା । ସେ କହିଛନ୍ତି, "ମୁଁ ଏକ ଏଣ୍ଡୁଅ ପରି ନିଜକୁ ଖାପ ଖୁଆଇଲି । ଯେତେବେଳେ ଦଳରେ ଓପନିଂର ଆବଶ୍ୟକତା ହେଲା ମୁଁ ସେଠି ଓପନିଂ କଲି, ଯେତେବେଳେ ମଧ୍ୟକ୍ରମରେ ଆବଶ୍ୟକତା ହେଲା ମୁଁ ସେଠି ବି ଖେଳିଲି । ପ୍ରକୃତ ଚ୍ୟାଲେଞ୍ଜ ଥିଲା ସ୍ଥାନ ପାଇବା ଅପେକ୍ଷା ସ୍ଥାନ ବଜାୟ ରଖିବା । ଅନେକ ଥର ମୁଁ ଚାପରେ ମୋର ସର୍ବୋତ୍ତମ ଦେଇପାରି ନଥିଲି ।"

ସେ ଆହୁରି କହିଛନ୍ତି, "ଧୋନି ମୋତେ ସିଧାସଳଖ ନୁହେଁ, ବରଂ ନିଜ ଉପାୟରେ ବହୁତ କିଛି ଶିଖାଇଛନ୍ତି । ନମନୀୟତା, ସାହସ ଏବଂ ଧର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୁଁ ମୋ କ୍ୟାରିୟରର ଶେଷ ବର୍ଷଗୁଡ଼ିକରେ 6 ଏବଂ 7 ନମ୍ବରରେ ବ୍ୟାଟିଂ କରିଥିଲି, ଯାହା ସହଜ ନଥିଲା, କିନ୍ତୁ ମୁଁ ଏହାକୁ ଗ୍ରହଣ କରିଥିଲି ।"

ଦିନେଶ କାର୍ତ୍ତିକ ଶେଷ ଥର ପାଇଁ ଭାରତ ପାଇଁ ୨୦୨୨ ଟି-୨୦ ବିଶ୍ୱକପ୍ ଖେଳିଥିଲେ । ସେ ୨୦୨୨ ଆଇପିଏଲ୍ ରେ ଚମତ୍କାର ପ୍ରଦର୍ଶନ କରି ଦଳରେ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟରେ ଟିମରେ ସାମିଲ ଥିଲେ । ଦିନେଶ କାର୍ତ୍ତିକ ମୋଟ ୨୬ ଟେଷ୍ଟ, ୯୪ ଟି-୨୦ ଏବଂ ୬୦ ଟି-୨୦ ମ୍ୟାଚ୍ ଖେଳିଥିଲେ । ୨୦୧୮ରେ ନିଦାହାସ୍ ଟ୍ରଫି ଫାଇନାଲ୍ କାର୍ତ୍ତିକଙ୍କ କ୍ୟାରିୟରର ସର୍ବୋତ୍ତମ ମୁହୂର୍ତ୍ତ ଥିଲା, ଯେତେବେଳେ ସେ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ ।