କନକ ବ୍ୟୁରୋ:  ଏ ଘରକୁ ଦେଖିଲେ ଆପଣ କିଛି ଜାଣିପାରିବେନି କିନ୍ତୁ ଉପରୁ ମାନେ ଡ୍ରୋନ୍ ସଟରୁ ଦେଖିଲେ ଆପଣଙ୍କୁ ଜଣାପଡ଼ିବ ଏ ଘରଟିର ଅଧା ଗୋଟିଏ ରାଜ୍ୟରେ ଆଉ ଅଧା ଆଉ ଏକ ରାଜ୍ୟରେ । ଏ  ଘରଟି ଯେଉଁ ସ୍ଥାନରେ ଛିଡ଼ା ହୋଇଛି ତାହା ହେଉଛି ମହାରାଷ୍ଟ୍ର ଓ ଗୁଜରାଟର ସୀମା । ଆଉ ଏ ଘରଟିରେ ରହୁଥିବା ବୟସ୍କ ମହିଳା ହେଉଛନ୍ତି ମାଗାନିବେନ୍ ଗାମିତ୍ । ଜନଜାତିର ଜଣେ ମହିଳା । ବୟସ ୭୦ ହେଲାଣି । କିନ୍ତୁ ସେ ବେଶ୍ ଚଳଚଞ୍ଚଳ । 

Advertisment

ମାଗାନିବେନଙ୍କ ଘର ଦେଖିବାକୁ ଭାରି ଉତ୍ସାହରେ ଲୋକେ  ଆସନ୍ତି । ତାଙ୍କ ସହ କଥା ହୁଅନ୍ତି । ଆଉ ତାଙ୍କୁ ଏ ବିଷୟରେ ପଚାରିଲେ ସେ ହସି ଦିଅନ୍ତି  । ଆଉ କୁହନ୍ତି ’ମୁଁ ଗୁଜୁରାଟରେ ରୋଷେଇ କରୁଛି ହେଲେ ମହାରାଷ୍ଟ୍ରରେ ବସି ଖାଉଛି’ । ତାଙ୍କ ରୋଷେଇ ଘର ପଟ ଗୁଜରାଟ ପଟେ ରହୁଥିବାବେଳେ ବାକି ମହାରାଷ୍ଟ୍ର ସୀମା ପଟେ ଅଛି । 
 ଏ ଘରଟିରେ ମାଗାନିବେନ୍ ଗତ ୨୦ ବର୍ଷ ଧରି ଏକା ରହିଆସୁଛନ୍ତି ।ସ୍ବାମୀଙ୍କ ପରଲୋକ ପରେ ସେ ଏକା ଏକା । ଏଠାରୁ ଆଉ କୁଆଡେ ଯିବାକୁ ଚାହୁନାହାଁନ୍ତି । ସେ ରହୁଥିବା ଗାଁ ହେଉଛି ଗୁଜରାଟ ସୋଙ୍ଗାଧ ତାଲୋକାର ଗୈସୱାର ଗାଁ । ମାଗାନିବେନଙ୍କୁ ଏହି ଗାଁର ଲୋକେ ସମର୍ଥନ କରନ୍ତି । ତାଙ୍କ ଭଲମନ୍ଦ ବୁଝନ୍ତି  । ଯାହା ହୋଇଯାଉ ପଛେ ତାଙ୍କ ଘରକୁ କିଛି ସମସ୍ୟା ହେବନି ବୋଲି ଗାଁ ଲୋକେ ସୁନିଶ୍ଚିତ କରିଛନ୍ତି । ଗୁଜରାଟ ପଟେ ସେ ଭୋଟ ଦେଉଥିବାବେଳେ ଗୁଜୁରାଟ ସରକାରଙ୍କ ପକ୍ଷରୁ ତାଙ୍କୁ ଆବଶ୍ୟକ ସରକାରୀ ସୁବିଧା ମିଳୁଛି ।

 ଏଇ ଘରେ ସେ ବେଶ୍ ଖୁସି । ଏଥିରେ ଆଉ କିଛି ପରିବର୍ତ୍ତନ ସେ ଚାହୁନାହାଁନ୍ତି । ଏଥିରେ ତାଙ୍କ ସ୍ବାମୀଙ୍କ  ସନ୍ତକ ଅଛି । ତେଣୁ ଏଇଠି ତାଙ୍କ ଶେଷ  ସମୟ ଯାଏଁ ଜୀବନ କଟିବ ବୋଲି କୁହନ୍ତି ମାଗାନିବେନ୍ ।