କନକ ବ୍ୟୁରୋ: ବାରମ୍ବାର ବୟାନ ବଦଳାଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ତାଙ୍କ କଥା ଭାରତ ଶୁଣିଲାନି ବୋଲି ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ହେଲେ ଏବେ ଟାରିଫ୍ କମାଇବା ନେଇ ସଂକେତ ଦେଇଥିଲେ । ଏହାରି ଭିତରେ ପୁଣି ଥରେ ଟ୍ରମ୍ପ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । କହିଛନ୍ତି, ଭାରତ ଓ ମୋଦୀଙ୍କର ମୁଁ ଅତି ନିକଟତର । ଖାଲି ନିକଟତର ତାହା ନୁହେଁ ବରଂ ଭାରତ ଓ ମୋଦୀଙ୍କ ସହ ମୋର ବନ୍ଧୁତା ବହୁତ ଭଲ ବୋଲି ଟ୍ରମ୍ପ କହିଛନ୍ତି । ହେଲେ ହଠାତ୍ ଗରମ ମନୋଭାବରୁ କେମିତି ନରମ ମନୋଭାବ ରଖିଲେ ଟ୍ରମ୍ପ ତାହାକୁ ନେଇ ଜୋରଦାର ଚର୍ଚ୍ଚା ।
ପୁଣି ବୟାନ ବଦଳାଇଲେ ଟ୍ରମ୍ପ
କହିଲେ, ଭାରତ ଓ ମୋଦୀଙ୍କର ମୁଁ ବହୁତ ନିକଟତର
ଋଷିଆଠୁ ତେଲ କିଣିବା ପ୍ରସଙ୍ଗରେ ଦେଲେ ବଡ଼ ବୟାନ
ଭାରତ ଚାପରେ ଚେପା କି ଟ୍ରମ୍ପ ?
କାହିଁକି ଟ୍ରମ୍ପଙ୍କ ସ୍ବର ନରମିଗଲା ?
ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ସହ କେମିତି ସମ୍ପର୍କ ଭଲ ରହିବ ସେନେଇ ଟ୍ରମ୍ପ ଅନେକ ଚେଷ୍ଟା କରିଥିଲେ । ଏମିତିକି ନିର୍ବାଚନ ପୂର୍ବରୁ ମୋଦୀ ତାଙ୍କ ପାଇଁ ପ୍ରଚାର ବି କରିଥିଲେ । ନିର୍ବାଚନ ଜିତିବା ପରେ ସମ୍ପର୍କ ଭଲ ଥିଲା । ହେଲେ ଋଷିଆଠୁ ତେଲ କିଣିବା ପରେ ଆମେରିକା ଭାରତ ଉପରେ ଖପ୍ପା ହୋଇଥିଲା । ସେଇଥି ଲାଗି ତ ଟାରିଫ୍ ଲଗାଇଥିଲା । ହେଲେ ଏସ୍ସିଓ ବୈଠକରେ ତିନିରାଷ୍ଟ୍ର ଏକାଠି ହେବା ପରେ ଆମେରିକାର ଚିନ୍ତା ବଢିଥିଲା । ଆଉ ଏବେ ଭାରତ ସହ ପୁଣି ସମ୍ପର୍କ ସୁଧାରିବା ପାଇଁ ଆରମ୍ଭ କରିଛି ପ୍ରୟାସ ।
ବାରମ୍ବାର ମୋଦୀଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ
ନରେନ୍ଦ୍ର ମୋଦୀ । ଭାରତର ପ୍ରଧାନମନ୍ତ୍ରୀ…ଯେଉଁଠିକି ବି ଯାଇଛନ୍ତି ସେଠାରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଖାସ୍ କରି ଆମେରିକା ଗସ୍ତ ସମୟରେ ମୋଦୀଙ୍କ ସହ ବେଶ୍ କିଛି ଏକାନ୍ତରେ ଆଲୋଚନା କରିଥିଲେ ଟ୍ରମ୍ପ । ଟ୍ରମ୍ପ ନିଜର ରାଷ୍ଟ୍ରପତି କାଳରେ ଭାରତ ସହିତ ସମ୍ପର୍କକୁ ମଜଭୁତ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । 'ହାଉଡି ମୋଦୀ' ଏବଂ 'ନମସ୍ତେ ଟ୍ରମ୍ପ' ଭଳି ବିଶାଳ କାର୍ଯ୍ୟକ୍ରମରେ ଉଭୟ ନେତା ଏକାଠି ହୋଇ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ସାରା ବିଶ୍ୱକୁ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକ କେବଳ ରାଜନୈତିକ ନଥିଲା ବରଂ ଏହା ଦୁଇ ନେତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କର ଗଭୀରତାକୁ ମଧ୍ୟ ଦର୍ଶାଇଥିଲା । ଟ୍ରମ୍ପ ବାରମ୍ବାର ମୋଦୀଙ୍କୁ ଜଣେ 'ମହାନ ନେତା' ଏବଂ 'ଭଲ ବନ୍ଧୁ' ଭାବରେ ପ୍ରଶଂସା କରିଛନ୍ତି ।
ବନ୍ଧୁତା କହୁଥିଲେ
ଭାରତ ବିରୋଧରେ କଡ଼ା ବୟାନ କେମିତି ଦେଉଥିଲେ ?
ଅନେକ ସମୟରେ ଭାରତକୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି ଟ୍ରମ୍ପ । ହେଲେ ଏବେ ଭାରତ ବିରୋଧରେ ଯେଉଁପରି ଭାବରେ ବୟାନ ଦେଉଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ହେଲେ ଏହାରି ଭିତରେ ଟ୍ରମ୍ପଙ୍କ ମୋଦୀଙ୍କ ପ୍ରତି ଥିବା ଆଭିମୁଖ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେ ପୁଣିଥରେ ମୋଦୀଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଭାବରେ ବର୍ଣ୍ଣନା କରିଛନ୍ତି । ଯିଏ ଭାରତକୁ ବିଶ୍ୱ ସ୍ତରରେ ଏକ ନୂଆ ପରିଚୟ ଦେଇଛନ୍ତି ବୋଲି କହିଛନ୍ତି । ମୋଟ୍ ଉପରେ ଟ୍ରମ୍ପ ଏବେ ମୋଦୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।