କନକ ବ୍ୟୁରୋ : ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ। ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଭାରତ ନିଜର ନିର୍ମାଣ କ୍ଷମତାକୁ ପ୍ରଦର୍ଶନ କରି ସାରା ବିଶ୍ୱରେ ନିଜର ପରାକାଷ୍ଠା ଦେଖାଇଛି । ଏହାର ଏକ ସଦ୍ୟତମ ଉଦାହରଣ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେଇ ହାଇଦ୍ରାବାଦର ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ଏକ ବଡ଼ ସଫଳତା ହାସଲ କରିଛନ୍ତି । ସେମାନେ ନିଜ ଷ୍ଟାର୍ଟଅପ୍ ମାଧ୍ୟମରେ ,ରହୁଥିବା ହଷ୍ଟେଲ ଭିତରେ କାମିକାଜି ଡ୍ରୋନ୍ ଅର୍ଥାତ୍‌ ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କରିଛନ୍ତି । ଏହି ଡ୍ରୋନ୍‌ର ଗୁଣବତ୍ତା ଏତେ ଉନ୍ନତମାନର ଯେ ଭାରତୀୟ ସେନା ଏହାକୁ କିଣିନେଇଛି । ଏହି ଦୁଇ ଯୁବ ଇଞ୍ଜିନିୟର ହେଉଛନ୍ତି ବିଟ୍ସ ପିଲାନି, ହାଇଦ୍ରାବାଦ କ୍ୟାମ୍ପସର ଜୟନ୍ତ ଖତ୍ରୀ ଏବଂ ସୌର୍ୟ୍ୟ ଚୌଧୁରୀ ।

Advertisment

ହଷ୍ଟେଲ ରୁମ୍‌ରୁ ସେନା କ୍ୟାମ୍ପ୍‌ ପର୍ଯ୍ୟନ୍ତ ଯାତ୍ରା

ଜୟନ୍ତ ଖତ୍ରୀ ଯିଏ କି ଜଣେ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଏବଂ ସୌର୍ୟ୍ୟ ଚୌଧୁରୀ ହେଉଛନ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ର । ଜୟନ୍ତ ଆଜମେର ହୋଇଥିବା ବେଳେ ସୌର୍ୟ୍ୟ କୋଲକାତାର , ଏହି ଯୁବ ଛାତ୍ର ଦୁଇ ଜଣ ମିଶି ନିଜ ହଷ୍ଟେଲ ରୁମରେ ହିଁ ଏହି ଡ୍ରୋନଗୁଡ଼ିକୁ ନିର୍ମାଣ କରିଛନ୍ତି । ସେମାନେ ସାଧାରଣ ଯନ୍ତ୍ରାଂଶ ବ୍ୟବହାର କରି ଭାରତୀୟ ପରିବେଶ ଓ ସୀମାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଡ୍ରୋନଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି । "ଆପୋଲିଅନ୍ ଡାଇନାମିକ୍ସ" ନାମକ ନିଜର ଡିଫେନ୍ସ ଷ୍ଟାର୍ଟଅପ୍ ଆରମ୍ଭ କରିବାର ମାତ୍ର ଦୁଇ ମାସ ମଧ୍ୟରେ ସେମାନେ ସେନାକୁ ଏହି ଡ୍ରୋନ୍ ଯୋଗାଇବାରେ ସକ୍ଷମ ହୋଇଛନ୍ତି ।

ଡ୍ରୋନର କ୍ଷମତା

  • କାମିକାଜି ଡ୍ରୋନ୍:ଏହି ଡ୍ରୋନ୍ ନିଜ ଲକ୍ଷ୍ୟସ୍ଥଳରେ ପିଟି ହୋଇ ଆତ୍ମଘାତୀ ଆକ୍ରମଣ କରିବା ସହ ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ବେଗରେ ଗତି କରିପାରେ । 
  • ରାଡାରକୁ ଚକମା ଦେବାରେ ସକ୍ଷମ: ଏଗୁଡ଼ିକ ରାଡାରରେ ସହଜରେ ଧରାପଡ଼ନ୍ତି ନାହିଁ, ଯାହା ଶତ୍ରୁପକ୍ଷକୁ ଚକମା ଦେବାରେ ସହାୟକ ହେବ ।
  • ଭାରତୀୟ ପରିବେଶ ପାଇଁ ଉପଯୁକ୍ତ: ଏହାକୁ ବିଶେଷ ଭାବରେ ଭାରତର ଭୌଗୋଳିକ ପରିସ୍ଥିତି ଓ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି ।
  • ତାଲିମ ପାଇଁ ସ୍ୱତନ୍ତ୍ର ଡ୍ରୋନ୍: ସେନା ଯବାନମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏକ ସ୍ୱତନ୍ତ୍ର "ଟ୍ରେନର ୟୁଏଭି" ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହାର ବ୍ୟବହାର ଅତି ସହଜ ।

କିପରି ମିଳିଲା ସୁଯୋଗ?

ଜୟନ୍ତ ଏବଂ ସୌର୍ୟ୍ୟ ପ୍ରଥମେ ଡ୍ରୋନ୍ ତିଆରି କଲେ, ଭାରତ ପାଇଁ ସିଷ୍ଟମକୁ ବିକଶିତ କଲେ ଏବଂ ତା'ପରେ ଲିଙ୍କଡଇନ୍ (LinkedIn)ମାଧ୍ୟମରେ ପ୍ରତିରକ୍ଷା ବାହିନୀର ଅଧିକାରୀମାନଙ୍କୁ ଯୋଗାଯୋଗ କଲେ । ସୌଭାଗ୍ୟବଶତଃ, ଜଣେ କର୍ଣ୍ଣେଲ ସେମାନଙ୍କ ଇ-ମେଲର ଉତ୍ତର ଦେଇ ଚଣ୍ଡିଗଡ଼ରେ ଡେମୋ ପାଇଁ ଡକାଇଥିଲେ । ଏହାପରେ ସେମାନଙ୍କୁ ସେନାର ବିଭିନ୍ନ ରେଜିମେଣ୍ଟ୍‌ ଆଗରେ ନିଜ ଡ୍ରୋନ୍ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିଲା । ଶେଷରେ ସେମାନେ ସେନାକୁ ଡ୍ରୋନ୍ ଯୋଗାଣ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ।

ଏହି ଆତ୍ମଘାତୀ ଡ୍ରୋନ୍‌କୁ ଜମ୍ମୁ, ହରିୟାଣାର ଚଣ୍ଡିମନ୍ଦିର, ବଙ୍ଗାଳର ପାନାଗଡ଼ ଏବଂ ଅରୁଣାଚଳ ପ୍ରଦେଶରେ ଥିବା ସେନା ୟୁନିଟଗୁଡ଼ିକୁ ବିକ୍ରି କରିଛନ୍ତି ଦୁଇ ଉଦୟମାନ ଯୁବ ଛାତ୍ର । ଏହି ସଫଳତା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ନିର୍ଭରଶୀଳତା କମ୍ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।