କନକ ବ୍ୟୁରୋ: ଏୟାରପୋର୍ଟ । ନାଁ ଶୁଣିଲେ ସାଧାରଣର ଗୋଟିଏ କଥା ଆସେ କି ୨୪ ଘଂଟା ଏହି ସ୍ଥାନରେ ଲୋକେ ଯିବାଆସିବା କରନ୍ତି । ଖାଲି ଯିବା ଆସିବା କରନ୍ତି ତାହା ନୁହେଁ ବରଂ ଯାତ୍ରୀମାନେ ଯାତ୍ରା କରିବାକୁ ଭାରି ବ୍ୟସ୍ତ ଥାଆନ୍ତି । ଥରେ ଚିନ୍ତା କରନ୍ତୁ ତ, ଭାରତରେ ଏମିତି ଏକ ବିମାନବନ୍ଦର ରହିଛି ଯେଉଁଠି ବିମାନ ଆଜି ପର୍ଯ୍ୟନ୍ତ କେବେ ଉଡ଼ାଣ ଭରିନି । ହେଲେ ବି ଫିଲ୍ମଷ୍ଟାର ସେଠାରେ ଭିଡ଼ ଲଗାଇବାରେ ବ୍ୟସ୍ତ । ସେଠାରେ ଏମିତି କଣ ରହିଛି ଯେ ଫିଲ୍ମଷ୍ଟାର ଭିଡ଼ ଲଗାଉଛନ୍ତି ।
ହାଇଦ୍ରାବାଦରେ ଅଛି ଅଭୂତ ଏୟାରପୋର୍ଟ
ବିମାନ ଉଡ଼େ ନାହିଁ କେବଳ ସୁଟିଂ ପାଇଁ ବ୍ୟବହାର ହୁଏ
ହାଇଦ୍ରାବାଦ । ବିରିୟାନୀ ଲାଗି ଯେତିକି ପ୍ରସିଦ୍ଧ ବିମାନ ବନ୍ଦର ଲାଗି ବି ସେତିକି ଚର୍ଚ୍ଚିତ । ରାମୋଜୀ ଫିଲ୍ମ ସିଟି । ନାଁ ଶୁଣିଲେ ସମସ୍ତେ ଜାଣନ୍ତି ଯେ ପ୍ରତିଦିନ ସେଠାରେ କେତେ ମାତ୍ରାରେ ପର୍ଯ୍ୟଟକ ଭିଡ଼ ଜମାନ୍ତି । କାରଣ ସେଠାରେ ଅନେକ ଫିଲ୍ମ ସୁଟିଂ କରାଯାଏ । ହେଲେ ସେଠାରେ ଥିବା ଏୟାରପୋର୍ଟକୁ ନେଇ ଏବେ ଅଧିକ ଚର୍ଚ୍ଚା । ଫିଲ୍ମ ସିଟିରେ ବିମାନ ବନ୍ଦର ହେବା ଦିନରୁ କେବେ ବି ସେଠାକୁ ବିମାନ ଉଡ଼ାଣ କରିନି । କେବଳ ସୁଟିଂ ଲାଗି ହିଁ ସେଠାରେ ବିମାନବନ୍ଦର ତିଆରି କରାଯାଇଛି । ଖାସ କରି ସାଉଥ୍ ଫିଲ୍ମରେ ଆପଣ ଦେଖୁଥିବା ଏୟାରପୋର୍ଟ ଏହି ସ୍ଥାନରେ ହିଁ ସୁଟିଂ କରାଯାଇଥାଏ । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବିମାନବନ୍ଦର ନାଁ ପରିବର୍ତ୍ତନ କରାଯାଏ କେବଳ ଫିଲ୍ମ ପାଇଁ ।
ବିମାନର ସିଟ୍ ଅଛି କି ନାହିଁ
କେବଳ ଫିଲ୍ମ ସୁଟିଂ କରିବା ଲାଗି ତିଆରି କରାଯାଇଥିବା ଏୟାରପୋର୍ଟରେ ବିମାନ ବି ଅଛି । ଅସଲି ବିମାନ ପରି ସେଠାକାର ବିମାନରେ ସିଟ୍ ବି ତିଆରି ହୋଇଛି । ନିର୍ମାଣ ଶୈଳୀ ଏମିତି ହୋଇଛି କି, ନଦେଖିଲା ଲୋକ କେବେ ବିଶ୍ବାସ କରିପାରିବେ ନାହିଁ । ଅନେକ ବଲିଉଡ୍ ଫିଲ୍ମରେ ବିମାନ ଭିତରେ ବା ବିମାନ ବନ୍ଦରରେ ତିଆରି ହୋଇଥିବା ଫିଲ୍ମ ସିନ୍ ରାମୋଜୀରେ ହିଁ ସୁଟିଂ କରାଯାଇଛି ।
କେମିତି ଦେଖିବେ ଏହି ଏୟାରପୋର୍ଟ
ଯଦି ଆପଣ ରାମୋଜୀ ଫିଲ୍ମ ସିଟିର ଏୟାରପୋର୍ଟ ଦେଖିବାକୁ ଚାହୁଁଛନ୍ତି ତାହାଲେ ପ୍ରଥମେ ହାଇଦ୍ରାବାଦକୁ ହିଁ ଯିବାକୁ ପଡ଼ିବ । ହାଇଦ୍ରାବାଦରେ ପହଞ୍ଚିବା ପରେ ଅଟୋରେ ଯାଇ ପହଞ୍ଚିପାରିବେ ଫିଲ୍ମସିଟି । ସିଟି ବୁଲିବାକୁ ୧୯୫୦ ଟଙ୍କା ଟିକେଟ୍ ଦେବାକୁ ପଡ଼େ । ଏହାସହ ଛାତ୍ରଛାତ୍ରୀ କିମ୍ବା ବୟସ୍କଙ୍କ ଲାଗି ଟିକେଟ୍ ଦର ଅଲଗା ରହିଛି । ଖାଲି ଏତିକି ନୁହେଁ ବରଂ ସେଠାରେ ରିହାତି ବି ମିଳେ ।
ଅନେକ ସମୟରେ ରାମୋଜୀ ଫିଲ୍ମ ସିଟିକୁ ନେଇ ଚର୍ଚ୍ଚା ଜୋର ହୁଏ । କାରଣ ସେଠାରେ ସୁଟିଂ ହେଉଥିବା ସେଟ୍ରେ କିଛି ଏମିତି କାହାଣୀ ଘଟେ ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲେ । ଖାଲି ଏତିକି ନୁହେଁ ବରଂ ଫିଲ୍ମ ସିଟିରେ ବିଭିନ୍ନ ଘରୋଇ କମ୍ପାନୀ ଖୋଲିଛି । ତେଣୁ ସେଠାକାର କର୍ମଚାରୀମାନେ ପ୍ରତିଦିନ ଫିଲ୍ମ ସିଟିର ହାଲଚାଲ ଜାଣିପାରନ୍ତି । ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି ତାହାଲେ ଯାଇପାରିବେ ।