ସମାଜରେ ପଶୁତ୍ବର ଛାପ ଏମିତି ପଡ଼ିଲାଣି ଯେ ନିଜ ଲୋକଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ ମଣିଷ । ଯିଏ କେବେ ମନର ମଣିଷ ଥିଲା ଯାହାକୁ ଏତେ ଭଲ ପାଇ ବିବାହ କରିଥିଲେ ତାକୁ ସାମାନ୍ୟ ଝଗଡ଼ାରେ ଟିକିଟିକି କରି କାଟି ଦେଉଛି ସଇତାନ ସ୍ବାମୀ । କ୍ରୁରତାର ସୀମା ଏଇଠି ସରୁନି ଆଜ୍ଞା ସେହି ମାଂସଖଣ୍ଡକୁ ପ୍ରେସରରେ ସିଝାଇ ଅସୁରତ୍ବର ଡିଣ୍ଡିମ ପିଟୁଛି ହାଡ଼ମାଂସଧାରୀ ମଣିଷ ।
ନିକଟରେ ତେଲେଙ୍ଗାନାର ଜଣେ ପୂର୍ବ ସୈନିକ ଗୁରୁମୂର୍ତ୍ତି ନିଜ ସ୍ତ୍ରୀ ଭେଙ୍କଟ୍ ମାଧବୀଙ୍କୁ ସାମାନ୍ୟ ଝଗଡ଼ାରୁ ଜୀବନରୁ ମାରି ଖଣ୍ଡ ଖଣ୍ଡ କରି ପ୍ରେସରରେ ସିଝାଇ ଦେବା ଘଟଣା ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ତ୍ରୀଙ୍କ ଖଣ୍ଡ ଖଣ୍ଡ ଶରୀରର ସିଝା ମାଂସକୁ ପଲିଥିନ୍ ରେ ରଖି ଚନ୍ଦନ ହ୍ରଦରେ ଫୋପାଡିଛି ଏହି ସଇତାନ ସ୍ବାମୀ । ପୁଲିସ୍ ନଜରରୁ ଖସିବାକୁ ଶାଶୂ-ଶ୍ବଶୁରଙ୍କ ସହ ଥାନାରେ ଯାଇ ସ୍ତ୍ରୀ ନିଖୋଜ ହେବାର ଏତଲା ଦେଉଛି ଏ ସ୍ତ୍ରୀହନ୍ତା ରାକ୍ଷସ । କିନ୍ତୁ ଆଇନର ଲମ୍ବା ହାତ ଆଗରେ ହାରିଛି ଅପରାଧୀର ଚାଲାକି । ଶେଷରେ ଧରାପଡ଼ିଛି ସ୍ତ୍ରୀକୁ ନୃଶଂସ କରି ମାରିଥିବା ସ୍ବାମୀ ।
ଏଭଳି ଘଟଣା ନୂଆ ନୁହଁ ଆଜ୍ଞା , ପ୍ରେସରରେ ମଣିଷ ମାଂସ ସିଝାଇବା ଘଟଣା ପ୍ରତିବର୍ଷ ଘଟିଲା ପରି ଘଟୁଛି । ପ୍ରଶ୍ନ ଉଠୁଛି , ମଣିଷ ଏତେ ତଳକୁ ଖସୁଛି କେମିତି? ୨୦୨୩ ଜୁନ୍ ମାସରେ ମହାରାଷ୍ଟ୍ରରୁ ସମାନ୍ତର ଭାବେ ଏକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ୫୬ ବର୍ଷୀୟ ମନୋଜ୍ ନାମକ ଜଣେ ବ୍ୟକ୍ତି ୩୨ ବର୍ଷୀୟ ନିଜ ଲିଭ୍ ଇନ୍ ପାର୍ଟନର୍ ସରସ୍ବତୀଙ୍କୁ ମାରି ଟୁକୁଡା ଟୁକୁଡା କରି କାଟି ପ୍ରେସରରେ ସିଝାଇବାର ପାପ କରିଥିଲେ । ୩ ବର୍ଷର ସଂପର୍କ ଗୋଟିଏ ଝଗଡ଼ାରୁ ଏତେ ବଡ଼ ହତ୍ୟାକାଣ୍ଡର ରୂପ ନେଇଥିଲା । ଶେଷରେ ଦୂର୍ଗନ୍ଧ ଖୋଲିଥିଲା ହତ୍ୟା ଗୁମର । ଧରାପଡ଼ିଥିଲା ପ୍ରେମିକାହନ୍ତା ପ୍ରେମିକ ।
ଓଡ଼ିଶା ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିନି। ପୂର୍ବବର୍ଷର ଶେଷ ଆଡ଼କୁ ପରକୀୟା ପ୍ରୀତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ ରଚିଥିଲା ସ୍ବାମୀ । ରାଉରକେଲାରେ ୭ ମାସର ଗର୍ଭବତୀ ସ୍ତ୍ରୀକୁ ବାଟରୁ ହଟାଇବା ପାଇଁ ଗୁଳି କରି ମାରିଥିଲା ସଇତାନ ସ୍ବାମୀ । ପରକୀୟା ପ୍ରେମ ଆଗରେ ଭୁଲିଯାଇଥିଲା ମାନବିକତା । ନିଜେ ଗୁଳି ମାରି ଲୁଟେରା ଲୁଟ୍ କରିବା ବେଳେ ଗୁଳି ମାରିଥିବା କଥା କହିଥିଲା ଅଭିଯୁକ୍ତ । ହେଲେ ଆଇନର ବାଜ ଆଖିରୁ ବଞ୍ଚିପାରିଲାନି ଅପରାଧୀର କଳାକାରନାମା । ଶେଷରେ ପୁଲିସ୍ ଅଭିଯୁକ୍ତ ହାତରେ ବାନ୍ଧିଥିଲା ହାତକଡି ।
କୋରାପୁଟରେ ମଧ୍ୟ ସମାନ ଭଳି ଏକ ଘଟଣା ଘଟିଥିଲା । ପାରିବାରିକ କଳହରେ ଅତିଷ୍ଟ ହୋଇ ସ୍ବାମୀ ରଚିଥିଲା ସ୍ତ୍ରୀ ହତ୍ୟାର ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରରେ ସାମିଲ୍ ହୋଇଥିଲେ ଅପରାଧୀର ୨ ଜଣ ସାଙ୍ଗ । ଆଧାର କାର୍ଡ ଅପଡେଟ୍ କରିବାକୁ ଯାଇ ଫେରିଲା ବେଳେ ଯୋଜନା ମୁତାବକ ପ୍ରଥମେ ଲୁଟ୍ ଆଉ ତା’ପରେ ହତ୍ୟାର କାହାଣୀ ପୁଲିସକୁ ଶୁଣାଇଥିଲା ଅପରାଧୀ । ହେଲେ ପୁଲିସ୍ ଆଖିରେ ଧୂଳି ଦେଇପାରିଲାନି ଅପରାଧୀ । ୨୪ ଘଣ୍ଟା ଭିତରେ ଅପରାଧୀକୁ ଜେଲର ପବନ ଖୁଆଇଥିଲା ପୁଲିସ୍ ।