କନକ ବ୍ୟୁରୋ: ଛୁଆ ଭଲ ପାଠ ପଢିବେ, ଘର ଭଲରେ ଚଳିବ ଏମିତି ଅନେକ ଆଶା ନେଇ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଦେଢ଼ ମାସ ହେଲାଣି କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି । ସ୍ବାମୀକୁ ଫେରାଇ ଆଣିବାକୁ ବାରଦୁଆର ବୁଲୁଛି ସ୍ତ୍ରୀ ।
ଆଖିରେ ଲୁହ। ମନରେ ଅସରନ୍ତି କୋହ। ମୋ ସ୍ବାମୀଙ୍କୁ ଖୋଜି ଆଣ। କାମ କରିବାକୁ ଯାଇଥିଲେ ଯେ ଦେଢ଼ ମାସ ହେଲାଣି ନିଖୋଜ ହୋଇଯାଇଛନ୍ତି। ତାଙ୍କ ସାଥିରେ ଯାଇଥିବା ପଡ଼ୋଶୀ ବି ଫେରି ଆସିଲେଣି। ସେ ତ’ କାଇଁ ଏଯାଏଁ ଆସିଲେନି। ଏମିତି କେତେ କ’ଣ ଭାବି ଭାବି ଲୁହ ଗଡ଼ାଉଛନ୍ତି ସ୍ତ୍ରୀ। ମୋବାଇଲ ଧରି ଏଣେତେଣେ ଚାହିଁ ରହୁଛନ୍ତି। କାଳେ ସ୍ବାମୀଙ୍କ କଲ୍ ଆସିଯିବ। ଝିଅ ବାପାର ଫଟୋ ଧରି ମା’କୁ ପଚାରୁଛି, ମା’ ବାପା କେବେ ଆସିବେ? ହେଲେ ମା’ ବା କ’ଣ ଉତ୍ତର ଦେବ। ଅସହାୟ ରଶ୍ମିତା ସ୍ବାମୀର ଫେରିବା ବାଟକୁ ଚାହିଁବସିଛନ୍ତି ।
କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ମୁଣ୍ଡାଲୋଇ ଗାଁର ୪୦ ବର୍ଷୀୟା ବୃଷଭାନୁ ବାଘ । ଦଲାଲଙ୍କ ପ୍ରଲୋଭନରେ ପଡ଼ି ତେଲଙ୍ଗାନା ଦାଦନ ଖଟିବାକୁ ଯାଇଥିଲେ। ସାଥିରେ ଗାଁର ଆଉ ୩ ଜଣ ବି ଥିଲେ। କିଛିଦିନ କାମ କରିବା ପରେ ଘରକୁ ଫେରିବାକୁ ବାହାରିଥିଲେ ବୃଷଭାନୁ । ତାଙ୍କର ଜଣେ ସହେଯାଗୀ ତାଙ୍କୁ କାଜୁପେଡ ଷ୍ଟେସନରେ ଟ୍ରେନରେ ବସାଇ ଦେଇଥିଲେ । ହେଲେ ସେବେଠୁ ଘରେ ପହଞ୍ଚିନାହାନ୍ତି । ସ୍ବାମୀକୁ ଖୋଜି ଆଣିବାକୁ ବାରଦୁଆର ବୁଲି ନେହୁରା ହେଉଛି ସ୍ତ୍ରୀ । ଚିନ୍ତାରେ ପୂରା ପରିବାର।
ବୃଷଭାନୁ ନିଖୋଜ ହେବା ପରେ ଅସହାୟ ହୋଇପଡ଼ିଛି ପରିବାର। ଘର ଚଳିବା, ପିଲା ପାଠ ପଢ଼ିବା ସବୁ କଷ୍ଟକର ହୋଇପଡ଼ିଛି। ତୁରନ୍ତ ତାଙ୍କୁ ଖୋଜି ଆଣିବାକୁ ସରକାରଙ୍କୁ ନିବେଦନ କରିଛି ପରିବାର।