କନକ ବ୍ୟୁରୋ : ମାଟି ତଳେ ମହିଳା କନେଷ୍ଟବଳଙ୍କ ଶବ । ଭୁବନେଶ୍ବରରୁ ନିଖୋଜ ହୋଇଥିବା ଶୁଭମିତ୍ରା ସାହୁଙ୍କ ମୃତଦେହ ଏହିଠାରେ ପୋତା ଯାଇଥିବା ଜାଣିବା ପରେ ଜେସିବି ଲଗାଇ ଖୋଳିଛି କମିସନରେଟ୍ ପୁଲିସ । ସଇତାନ ଦୀପକ ରାଉତ, ତା’ର ମାଉସୀ ପୁଅ ଭାଇ ପପୁ, ସହଯୋଗୀ ଜଟିଆ ସହାୟତାରେ ମୃତ ଦେହକୁ ପୋତିଥିଲା । ଆଜି ଅଭିଯୁକ୍ତଙ୍କୁ କ୍ରାଇମସ୍ପଟକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ ମାଟି ଖୋଳି ଶବକୁ କାଢ଼ିଛି ପୁଲିସ । କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ। ତାଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ମୃତଦେହକୁ ନିଜ କାରରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁରେ ଜଙ୍ଗଲରେ ପୋତି ଦେଇଥିଲା ।
ଶୁଭମିତ୍ରା ୭ ତାରିଖରୁ ନିଖୋଜ ହୋଇଯାଇଥିଲେ । ତାଙ୍କ ମୋବାଇଲ ବି ସୁଇଚ୍ ଅଫ୍ ହୋଇଯାଇଥିଲା । କ୍ୟାପିଟାଲ ଥାନାରେ ଏ ନେଇ ଅଭିଯୋଗ ହେବା ପରେ କମିସନରେଟ ପୁଲିସ ତନାଘନା କରିଥିଲା । ଆଉ କଲ୍ ଡିଟେଲ୍ସ ଧରାଇ ଦେଇଥିଲା ସତ । ସନ୍ଦେହ ଘେରକୁ ଆସିଥିଲେ ଦୀପକ । ଦୀପକକୁ ମାରାଥନ୍ ଜେରା ଓ ପଲିଗ୍ରାଫ୍ ଟେଷ୍ଟରୁ ପୁଲିସକୁ ମିଳିଥିଲା ସୁରାକ୍ । ଅଭିଯୁକ୍ତ ଦୀପକ ପୁଲିସ ଆଗରେ କହିଛି, ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ ନେଇଥିଲା କେନ୍ଦୁଝର । ହତ୍ୟାରେ ବ୍ୟବହୃତ କାର୍ ଜବତ କରି ତନାଘନା କରୁଛି କ୍ୟାପିଟାଲ ଥାନା ପୁଲିସ I
ହତ୍ୟାର ୭ ଦିନ ପୂର୍ବରୁ ମର୍ଡର ପ୍ଲଟ୍
ଗାତ ଖୋଳିଥିଲେ ସହଯୋଗୀ, ମୃତଦେହ ନେଇ ଯାଇଥିଲା ଦୀପକ
ଶୁଭମିତ୍ରାଙ୍କୁ ଶେଷ କରିଦେବା ପାଇଁ ବହୁ ପୂର୍ବରୁ ଷଡ୍ଯନ୍ତ୍ର କରିଥିଲା ସ୍ବାମୀ । ପ୍ରମାଣ ନଷ୍ଟ ପାଇଁ ବି ସହଯୋଗୀଙ୍କ ସହ ମିଶି ଯୋଜନା କରିଥିଲା । ଆଉ ମାରିବା ପରେ ସେହି ଯୋଜନା ଅନୁସାରେ ଭୁବନେଶ୍ବରରୁ କେନ୍ଦୁଝର ଘଟଗାଁ ଜଙ୍ଗଲକୁ ନେଇ ମୃତଦେହକୁ ପୋତି ଦେଇଥିଲା । ଶୁଭମିତ୍ରାଙ୍କୁ ହତ୍ୟା ରହସ୍ୟ ପଦାକୁ ଆସିବା ପରେ ଦୀପକ କାହିଁକି ମାରିଲା ସେ ନେଇ ବଢ଼ିଛି ଚର୍ଚ୍ଚା ।