କନକ ବ୍ୟୁରୋ;  ପୁଣି କଙ୍ଗାରୁ କୋର୍ଟ ଅଭିଯୋଗ । ପରକୀୟା ପ୍ରୀତି ଧରାପଡ଼ିବାରୁ ଗାଁରେ ବସିଲା କାଙ୍ଗାରୁ କୋର୍ଟ । ସ୍ତ୍ରୀକୁ ଉଲଗ୍ନ କରି ଗାଁରେ ବୁଲାଇଲା ଓ ନିସ୍ତୁକ ମାଡ଼ ମାରିଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୂଆଁଇଲା ଭଳି ଦୃଶ୍ୟ । ସ୍ତ୍ରୀର ପରକୀୟା ପ୍ରୀତି ଧରାପଡ଼ିବାରୁ ସ୍ବାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛି । ଦେଇଛି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ।

Advertisment

ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ୍ ହୋଇଛି । ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରନ୍ତି । ସ୍ତ୍ରୀର ଅନ୍ୟ ଏକ ଗାଁର ଜଣେ ଅବିବାହିତ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଯୁବକ ଜଣକ ଚାରିଦିନ ହେଲା ମହିଳାଙ୍କ ଘରକୁ ଆସି ରହୁଥିଲା । ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ ବସାଇଥିଲେ । ସେଠାରେ ଉଭୟେ ପରକୀୟା ପ୍ରୀତି ସ୍ବୀକାର କରିଥିଲେ। ଖବର ପାଇଁ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ ଘରକୁ ଫେରିଥିଲେ । ଏହାପରେ ସ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ସ୍ତ୍ରୀକୁ  ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ୍ ହୋଇଛି । ହେଲେ କଙ୍ଗାରୁ କୋର୍ଟ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁ ନାହାନ୍ତି । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ବାଲୁଙ୍କେଶ୍ବର ନାଏକ ସୂଚନା ଦେଇଛନ୍ତି ।