କନକ ବ୍ୟୁରୋ: ନିଜ ପ୍ରେମ ପାଇଁ କିଏ କେତେ କଣ କରୁଛନ୍ତି । ପ୍ରେମକୁ ଜୀବନ୍ତ ରଖିବାକୁ ଅନେକ ସ୍ମୃତି ତିଆରି କରୁଛନ୍ତି । ଯାହାର ଉଦାହରଣ ଶାହାଜାହାନ ଆଉ ମମତାଜଙ୍କ ପ୍ରେମରୁ ଜାଣି ହୁଏ । ମମତାଜଙ୍କ ପ୍ରେମରେ ଶାହାଜାହାନ ତାଜମହଲ ତିଆରି କରିଦେଇଥିଲେ । ଯାହା ଆଜି ଯାଏ ସ୍ମୃତି ହୋଇଛି ରହିଛି । ଆଉ ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଯେଉଁଠି ଜଣେ ବ୍ୟବସାୟୀ ସ୍ୱାମୀ ନିଜ ପ୍ରେମର ସ୍ମୃତି ପାଇଁ ନିଜ ଘରକୁ ତାଜମହଲ ଭାବେ ତିଆରି କରିଛନ୍ତି । 
ସୋସିଆଲ ମିଡିଆରେ ଏହି ତାଜମହଲର ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଏକ ଘର ଦେଖାଯାଉଛି ଯାହା ଅବିକଳ ତାଜମହଲ ପରି ଦେଖାଯାଉଛି । ଏହା କୌଣସି ହୋଟେଲ କିମ୍ବା ପର୍ଯ୍ୟଟନ ସ୍ଥଳ ନୁହେଁ, ବରଂ ଜଣେ ଦମ୍ପତିଙ୍କ ବ୍ୟକ୍ତିଗତ ଘର । ଏହି ବିଳାସପୂର୍ଣ୍ଣ ୪ କୋଠରୀ ଘର ମଧ୍ୟପ୍ରଦେଶର ବୁରହାନପୁରରେ ଅବସ୍ଥିତ । ସବୁଠାରୁ ଖାସ କଥା ହେଉଛି ବ୍ୟବସାୟୀ ଆନନ୍ଦ ପ୍ରକାଶ ଚୌକସେ ଏହାକୁ ପ୍ରେମର ଉଦାହରଣ ସ୍ୱରୂପ ତାଙ୍କ ପତ୍ନୀଙ୍କ ପାଇଁ ତିଆରି କରିଛନ୍ତି ।

Advertisment

ଭିଡିଓରେ ଦେଖାଯାଉଥିବା ଏହି ଛୋଟ ତାଜମହଲ ମୂଳ ତାଜମହଲର ଏକ ତୃତୀୟାଂଶ ସ୍କେଲ୍ ମଡେଲ୍ । ଆଗ୍ରା ତାଜମହଲରେ ବ୍ୟବହୃତ ମକରାଣା ମାର୍ବଲ ଏହି ତାଜମହଲରେ ବି ବ୍ୟବହାର ହୋଇଛି । ଚାରିପାଖରେ ସୁନ୍ଦର କାରୁକାର୍ଯ୍ୟ, ଗୋଲ ଗମ୍ବୁଜ ଏବଂ ଧନୁଯୁକ୍ତ ଦ୍ୱାର ଏହି ତାଜମହଲକୁ ବେଶ ଆକର୍ଷଣୀୟ କରିଛି । ଘର ଭିତରେ ଡ୍ରଇଁଂ ରୁମ୍, ୪ଟି ବେଡ୍ ରୁମ୍, ଲାଇବ୍ରେରୀ ମଧ୍ୟ ରହିଛି । ଘର ଭିତର ଦେଖିଲେ ଏହା ଆରଣଙ୍କ କୌଣସି ରାଜପ୍ରାସାଦରୁ କମ୍ ଲାଗିବନି । ଏହି ଅନନ୍ୟ ଘରଟି ଆନନ୍ଦ ଚୌକସେଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସ୍କୁଲ କ୍ୟାମ୍ପସରେ ତିଆରି ହୋଇଛି । 

ଇନଷ୍ଟାଗ୍ରାମରେ ଜଣେ ୟୁଜର ଏହାର ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦମ୍ପତି ନିଜ ଘରର ଏକ ଛୋଟ ଝଲକ ଦେଖାଇଛନ୍ତି । ଆଉ ଭିଡିଓରେ ଏହି ଘର ନିଜ ପତ୍ନୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସ୍ୱାମୀ ଆନନ୍ଦ ଚୌକସେ କହିଛନ୍ତି । ତେବେ ସୋସିଆଲମିଡିଆରେ ଏହାର ଭିଡିଓ ଭାଇରାଲ ହେବା ଲୋକମାନେ ଏହି ଦମ୍ପତ୍ତିଙ୍କୁ ବେଶ ପ୍ରଶଂସା କରିଛନ୍ତି । 

ଆନନ୍ଦ ଏବଂ ତାଙ୍କ ପତ୍ନୀ ଏକ ସ୍କୁଲ ଚଳାନ୍ତି, ଯାହା ସେମାନଙ୍କର ମାଲିକାନାରେ ଅଛି । ଛାତ୍ରମାନେ ହଷ୍ଟେଲରେ ରୁହନ୍ତି ଏବଂ ସମସ୍ତେ ସେମାନଙ୍କ ପରିବାର ପରି । ଆନନ୍ଦ ପ୍ରକାଶ ବିଶ୍ୱାସ କରନ୍ତି ଯେ ଆଜି ଭାରତରେ ଯାହା ବି ସମସ୍ୟା ଚାଲିଛି, ସେ ସବୁର ଏକମାତ୍ର ସମାଧାନ ହେଉଛି... 'ପ୍ରେମ' ।