କନକ ବ୍ୟୁରୋ : ରାଜଧାନୀରେ ସୈତାନ ସ୍ୱାମୀର ନାରକୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ପରକିୟା ପ୍ରୀତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ଷଡଯନ୍ତ୍ର କରିଥିଲା ସ୍ୱାମୀ। ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ଆନେସ୍ଥେସିଆ ଓଭରଡୋଜ ଦେଇ ସ୍ତ୍ରୀକୁ କରିଥିଲା ହତ୍ୟା। ସ୍ୱାମୀ ସହ ଦୁଇ ଗର୍ଲଫ୍ରେଣ୍ଡକୁ ବାନ୍ଧିଲା ପୁଲିସ। ରିମାଣ୍ଡରେ ଆଣି ପୁଣି ପଚରା ଉଚରା କରିବାକୁ ଯୋଜନା।
- ସ୍ତ୍ରୀକୁ ବିଷ ଇଞ୍ଜେକସନ୍ ଦେଇ ମାରିଦେଲା ସ୍ୱାମୀ
- ଦୁଇ ଯୁବତୀଙ୍କ ସହ ମିଶି କରିଥିଲା ଷଡଯନ୍ତ୍ର
ସ୍ତ୍ରୀ ଶୁଭଶ୍ରୀ ନାୟକ ଓ ସ୍ୱାମୀ ପ୍ରଦ୍ୟୁମ୍ନ ଦାସ। ସାତ ଜନ୍ମର ସାଥୀ ହେବାକୁ ସ୍ତ୍ରୀକୁ ସିନ୍ଦୁର ପିନ୍ଧାଇଥିଲା, ହେଲେ ସୈତାନ ହୋଇ ଶଶ୍ମାନକୁ ପଠାଇ ଦେଲା ସ୍ୱାମୀ। ତେବେ ଏ ଏମିତି ଏକ ଘଟଣା ଯାହା ଦୁନିଆର ସମସ୍ତ ସ୍ୱାମୀଙ୍କ ଉପରୁ ସ୍ତ୍ରୀର ଭରଷାକୁ ତୁଟାଇ ଦେବ।
- ସେଦିନ ଥିଲା ୨୮ ଅକ୍ଟୋବର ୨୦୨୪
- ସମୟ ପ୍ରାୟ ରାତି ୨ଟାରୁ ସାଢେ ୩ଟା
- ସ୍ଥାନ- ଭୁବନେଶ୍ୱରର ଭରତପୁର ଥାନା ଅଧିନ ସାଁ-ପୁର
ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପିଶାଚ ସ୍ୱାମୀ। ଏଥିପାଇଁ ମର୍ଡର ପ୍ଲଟରେ ସାମିଲ ହୋଇଥିଲେ ତାର ଦୁଇ ବାନ୍ଧବୀ ରୋଜି ପାତ୍ର ଏବଂ ଇଜିତା ଭୁୟାଁ। ସାମାନ୍ୟ ଥଣ୍ଡାରେ ପୀଡିତ ଥିବା ସ୍ତ୍ରୀକୁ ରୋଜି ଏବଂ ଇଜିତା ରହୁଥିବା ଭଡା ଘରେ ନେଇ ପହଞ୍ଚାଇଥିଲା। ଦେହ ଭଲ ହେବ କହି ତିନିଜଣ ଯାକ ମିଶି ଶୁଭଶ୍ରୀଙ୍କୁ ଜୋର ଜବରଦସ୍ତ ଆନେସ୍ଥେସିଆ ଦେଇଥିଲେ। ଦୁଇ ଥର ମାଂସପେଶୀରେ ଦେବାକୁ ଚେଷ୍ଟା କରି ବିଫଳ ହେବା ପରେ, ଶୀରାରେ ଦେଇଥିଲେ ଇଞ୍ଜେକସନ। ଆଉ ସବୁଦିନ ପାଇଁ ଶୋଇ ଯାଇଥିଲେ ଶୁଭଶ୍ରୀ।
ମାଂସପେଶୀରେ ଇଂଜେକ୍ସନ ଦିଆ ଯାଇଥିବା ସ୍ଥାନ କଳା ପଡିବାରୁ ଖୋଳତାଡ ଆରମ୍ଭ କରିଥିଲା ପୁଲିସ। ତଦନ୍ତକାରୀ ପୁଲିସର ସନ୍ଦେହୀ ଆଖି ଖୋଜିଥିଲା କାରଣ। ଜଣାପଡିଥିଲା ତିନି ଅଭିଯୁକ୍ତ ଫାର୍ମାସିଷ୍ଟ ହୋଇଥିବାରୁ ବିଷ ଇଞ୍ଜେକ୍ସନର ଉପାୟ ବାଛିଥିଲେ। ସେଇଥିପାଇଁ କେସିଏଲ୍ ଏବଂ ମେଜୋଲାମ ଆନେସ୍ଥେସିଆ ଓଭରଡୋଜ ବ୍ୟବହାର କରିଥିଲେ।
ତେବେ କେସିଏଲ୍ ଦେବା ଦ୍ୱାରା ଜଣେ ରୋଗୀ ଓଟିକୁ ନେବା ପର୍ଯ୍ୟନ୍ତ ତାଙ୍କର ଚେତା ରହିବ ତା ପରଠାରୁ ସେ କିଛି ଜାଣି ପାରିବେ ନାହିଁ। ସେହିପରି ମେଜୋଲାମ ହେଉଛି ପୋଟାସିୟମର ଅଧିକ ଡୋଜ୍, ଯାହାକି ସିଧା ହାର୍ଟ ଉପରେ ପ୍ରଭାବ ପକାଇ ଥାଏ। ଆଉ ଆବଶ୍ୟକସ୍ଥଳେ ହାର୍ଟ ବନ୍ଦ ବି ହୋଇଯାଇ ଥାଏ। ଆଉ ଯେତେ ଚେଷ୍ଟା କଲେ ବି ବଞ୍ଚାଇବା କଷ୍ଟସାଧ୍ୟ ହୋଇଯାଏ। ପୋଷ୍ଟମର୍ଟମ ରିପୋର୍ଟରୁ ଏହି ବିସ୍ଫୋରକ ତଥ୍ୟ ପାଇଲା ପରେ, ତିନି ଅଭିଯୁକ୍ତଙ୍କୁ ଗୋଡାଇ ଗୋଡାଇ ଗିରଫ କରିଥିଲା ପୁଲିସ।
ପରକୀୟା ପ୍ରୀତିକୁ ନେଇ ପରିବାର ଭିତରେ ଝଗଡା ଲାଗି ଆସୁଥିଲା। ବିବାହ ପରେ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ ଯୋଗୁ ନିଜ ପତ୍ନୀକୁ ବି ହତ୍ୟା କରିବାକୁ ପଛାଇ ନଥିଲା ଜହ୍ଲାଦ। ଏଭଳି କାରନାମା ପାଇଁ ଗର୍ଲଫ୍ରେଣ୍ଡ ସହ ଝାରପଡା ଜେଲ ଯାଇଛି ପତ୍ନୀହନ୍ତା ସ୍ୱାମୀ। ଏହି ଘଟଣା ପରେ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି, ଭଗବାନ ଏମିତି ସ୍ୱାମୀ କାହାକୁ ନ ଦିଅନ୍ତୁ।