କନକ ବ୍ୟୁରୋ :ଗୋଟିଏ ସ୍ତ୍ରୀର ଶକ୍ତି ତା'ସ୍ୱାମୀ,ତା' ସମ୍ବଳ ସଂସାର । ଜଣେ ମାଆର ପୁଞ୍ଜି ତା' ପିଲା । ଯଦି ଶକ୍ତି ନିସ୍କ୍ରିୟ ହୋଇଯାଏ, ସଂସାର ଡଙ୍ଗାର ନାଉରୀ ନୀରବି ଯାଆନ୍ତି, ରୋଗାକ୍ରାନ୍ତ ହୋଇ ବିଛଣା ଧରନ୍ତି, ତେବେପାଖରେ ପୁଞ୍ଜି ଥାଇ ବି ସୁଖ ସରିଯାଏ । ରୋଗ ଓ ଭୋକ ଭିତରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଏ । ସେତେବେଳେ ନିଜ ଉପରେ ବି ଭରସା ପାଏନି । ସିନ୍ଦୁରର ସୁରକ୍ଷା ପାଇଁ ସହାୟତାର ହାତ ଖୋଜନ୍ତି ଜଣେ ସ୍ତ୍ରୀ । ସେମିତି ଜଣେ ହତଭାଗିନୀ ସ୍ତ୍ରୀ ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ଅଂଚଳର ବିଶ୍ୱକଲ୍ୟାଣୀ ଦାସ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ଅଂଚଳର ଶରତ କୁମାର ପଣ୍ଡା । ରାଜ୍ୟ ବାହାରେ କାମ କରି ୫ ପ୍ରାଣୀ କୁଟୁମ୍ବ ପୋଶୁଥିଲେ । ସ୍ତ୍ରୀ, ପୁଅ-ଝିଅ ଓ ବୁଢ଼ା ବାପାଙ୍କୁ ନେଇ ସଂସାର ଡଙ୍ଗା ବାହି ନେଉଥିଲେ । କିନ୍ତୁ ହଠାତ୍ ତାଙ୍କ ଜୀବନରେ ଘୋଟିଗଲା ଅମା ଅନ୍ଧାର । ବର୍ଷ ତଳେ ପାଦ ଫୁଲିଲା, ଛାତିରେ ଯନ୍ତ୍ରଣା ହେଲା । ଡାକ୍ତରଖାନାକୁ ଯାଇ ଚିକିତ୍ସା ମଧ୍ୟ କରାଇଲେ । ହେଲେ ସୁସ୍ଥ ହେବା ବଦଳରେ ଗୋଟିଏ ପରେ ଗୋଟିଏ ରୋଗ ତାଙ୍କୁ ଏବେ ବିଛଣାରେ ପକାଇ ଦେଇଛି । ବାପାଙ୍କୁ ଆଖିକୁ ଦେଖାଯାଉନଥିବା ତାଙ୍କ ପିଲାଙ୍କ ଦୁନିଆ ଅନ୍ଧାର ହୋଇଯାଇଛି ।
ବିଛଣାରେ ପଡ଼ିଛନ୍ତି ବିଶ୍ୱକଲ୍ୟାଣୀଙ୍କ ସ୍ବାମୀ ଶରତ ପଣ୍ଡା । ମାତ୍ର ୪୪ ବର୍ଷ ବୟସରେ ପାଦେ ଚାଲିବାକୁ ଅସମର୍ଥ,ଆଖିକୁ ଦେଖାଯାଉନାହିଁ । କିଡ଼ନୀ ଦୁଇଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଥିବା ଆର୍ଥିକ ଅନୁଦାନ ଓ ନିଜ ପାଖରେ ଥିବା ସବୁ ସମ୍ବଳ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି । ଏବେ ସପ୍ତାହକୁ ୩ ଥର ଡାଏଲସିସ୍ କରିବାକୁ ଡାକ୍ତର କହୁଛନ୍ତି । ଏଥିପାଇଁ ୧୦ ହଜାର ଟଙ୍କା ଆବଶ୍ୟକ । ପାଖରେ ଆଉ କାଣି କଉଡ଼ିଟିଏ ନାହିଁ । ମୁଣ୍ଡ ଗୁଞ୍ଜିଥିବା ଏହି ଦଦରା ଘର ଖଣ୍ଡିକ ଛାଡ଼ି ଦେଲେ କିଛି ନାହିଁ । କିଡ଼ନୀ ପ୍ରତ୍ୟାରୋପଣ କଥା ଛାଡ଼ନ୍ତୁ, ଗାଡ଼ି ଭଡ଼ା କରି ଡାକ୍ତରଖାନା ନେବା ବି ଅସମ୍ଭବ ।
ବର୍ଷେ ହେଲା ସ୍ୱାମୀ ଜୀବନ-ମରଣ ସହ ସଂଘର୍ଷ କରୁଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ସଂଗ୍ରାମ କରୁଛନ୍ତି ସ୍ତ୍ରୀ । ପିଲାଙ୍କ ପାଇଁ ଦାନା ଗଣ୍ଡାଏ ଯୋଗାଡ଼ କରିବା ବି ମା'ଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ବଞ୍ଚିବା ପାଇଁ ରାହା ଖୋଜୁଛି ପୁରା ପରିବାର । ତେଣୁ ସେ ସହାୟତା ଲୋଡ଼ିଛନ୍ତି । ଆକୁଳ ନିବେଦନ କରିଛନ୍ତି । କେହି ଟିକେ ସାହା ହେଲେ ସ୍ୱାମୀ ସୁସ୍ଥ ହୁଅନ୍ତେ, ପୁଣି କାମ କରି ପିଲାଙ୍କ ପାଇଁ ଦାନା ଯୋଗାଡ଼ କରିପାରନ୍ତେ । ସାହାର୍ଯ୍ୟ ପାଇଁ ଯୋଗାଯୋଗ...
ବିଶ୍ୱକଲ୍ୟାଣୀ ଦାସ
ଆକାଉଣ୍ଟ ନଂ-32286616786
ଏସବିଆଇ- ସାଲେପୁର ଶାଖା
IFSC: SBIN0003942
ଫୋନ ପେ- 8217895872