କନକ ବ୍ୟୁରୋ: ୩ ବର୍ଷ ହେଲା ପକ୍ଷାଘାତରେ ପୀଡ଼ିତ ହୋଇ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଅନୁଗୁଳ ପରା ଗାଁ ମୁଣ୍ଡିଆ ସାହିର ଧନୁ ବେହେରା । ସେ ଥଲେ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । କାମଧନ୍ଦା କରି ଯାହା ରୋଜଗାର କରୁଥିଲେ ୫ ପ୍ରାଣୀ କୁଟୁମ୍ବ ଚଳୁଥିଲେ । ହଠାତ୍ ତାଙ୍କ ଅସୁସ୍ଥତା କାରଣରୁ ଏବେ ପରିବାର ସମ୍ପୂର୍ଣ୍ଣ ବେସାହାରା । ଏଭଳି ସ୍ଥିତିରେ ସ୍ତ୍ରୀ ତିଳୋତମା ତାଙ୍କର ଆଶାବାଡ଼ି ପାଲଟିଛନ୍ତି । ଖୁଆଇଦେବା, ଗାଧୋଇଦେବା ଭଳି ସବୁ ପ୍ରକାର ଯତ୍ନ ନିଅନ୍ତି । 

Advertisment

ତିଳୋତମାଙ୍କ ଉପରେ ଏବେ ୫ ପ୍ରାଣୀଙ୍କ ଦାୟିତ୍ବ । ଭିକ ମାଗି ଯାହା ମିଳୁଛି ସେଥିରେ ଦିନେ ଖାଇଲେ ଦିନେ ଉପାସ ରହିବାକୁ ପଡ଼ୁଛି । ଘର ଖଣ୍ଡିଏ ନଥିବାରୁ ପଲିଥିନ ତଳେ ଜୀବନ କଟୁଛି । ଘର ଓ ଭତ୍ତା ପାଇଁ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ। ତିଳୋତମା ନିଜେ ମଧ୍ୟ ଏକ ଅଜଣା ରୋଗରେ ପୀଡ଼ିତ । ବେକରେ ମାଂସ ପିଣ୍ଡୁଳା ବଢ଼ୁଛି । ନାଁ ନିଜ ଚିକିତ୍ସା କରିପାରୁଛନ୍ତି ନାଁ ସ୍ବାମୀଙ୍କ ଚିକିତ୍ସା କରିପାରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ତିଳୋତମା ।