କନକ ବ୍ୟୁରୋ: ଚାକିରୀ ପଛରେ ନ ଗୋଡ଼ାଇ ଛତୁ ମଞ୍ଜି ଉତ୍ପାଦନ କରି ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲିର ଅନିତା ରାଣୀ ନନ୍ଦୀ। ଅନିତା ଏହାକୁ ନିଜର ପେଶା କରି ବାର୍ଷିକ ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଛତୁ ମଂଜି ଉତ୍ପାଦନ ପ୍ରତି ମନ ବଳାଇଥିବା ଅନିତା ଆଜି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ଏକ ଉତ୍ତମ ଜୀବନଶୈଳୀ ଦେବାରେ ସକ୍ଷମ ହେବା ସହ ଅନେକ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲିର ଅନିତା ରାଣୀ ନନ୍ଦି । ଛତୁମଞ୍ଜି ଉତ୍ପାଦନ କରି ସେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସୁଦୂର ରାଜସ୍ଥାନ ଯଦୁପୁରରେ ସ୍ୱାମୀ ସୂତା ମିଲରେ କାମ କରୁଥିଲେ । ଚାକିରିରୁ ମିଳୁଥିଲା ମାତ୍ର ୨ ହଜାର ଟଙ୍କା । ଯେଉଁ ଦରମାରେ ପରିବାର ପ୍ରତିପୋଷଣ କରିବା ବେଶ କଷ୍ଟକର ହୋଇପଡୁଥିଲା । ତେଣୁ ବାଧ୍ୟ ହୋଇ ଚାକିରି ଛାଡ଼ି ଆଉ କିଛି କରିବା ପାଇଁ ମନସ୍ଥ କରିଥିଲେ । ପରେ ଛତୁ ମଂଜି ଉତ୍ପାଦନ କରିବାକୁ ଯୋଜନା କଲେ । ଭୁବନେଶ୍ୱର ଓୟୁଏଟିରେ ପ୍ରଶିକ୍ଷଣ ନେବାପରେ ପ୍ରଥମେ କିଛି ଜମି ବିକ୍ରି କରି ଭଡ଼ା ଘରେ ଆରମ୍ଭ କଲେ ବ୍ୟବସାୟ । ପରେ କିଛି ରୁଣ କରି ବ୍ୟବସାୟକୁ ଆଗକୁ ବଢ଼ାଇଲେ । କିଛିଦିନ ପରେ ରୋଜଗାରର ବାଟ ଫିଟିଲା । ଭଲ ରୋଜଗାର ଦେଲା ଛତୁମଞ୍ଜି ବ୍ୟବସାୟ ।
ତାଙ୍କ ଦ୍ବାରା ଉତ୍ପାଦନ ହେଉଥିବା ଛତୁମଞ୍ଜି ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି ହେଉଛି । ଆସାମ, କୋଲକାତା, ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟକୁ ମଞ୍ଜି ରପ୍ତାନୀ କରାଯାଉଛି । ଏହାସହ ଓଡ଼ିଶାର ୧୧ଟି ଜିଲ୍ଲାରେ ବି ଛତୁମଞ୍ଜି ବିକ୍ରି କରୁଛନ୍ତି ଏହି ଉଦ୍ୟୋଗୀ ଦମ୍ପତି । ଏବେ ଏହି ଛତୁ ମଞ୍ଜି ଉତ୍ପାଦନ କରି ଅନିତା ଓ ନିତ୍ୟାନନ୍ଦ ବାର୍ଷିକ ୮ ରୁ ୧୦ ଲକ୍ଷ ଟଙ୍କା ଲାଭ ପାଉଛନ୍ତି । ଛତୁ ମଂଜି ବ୍ୟବସାୟ କରି ନିଜେ ନିଜର ଆର୍ଥିକ ଅବସ୍ଥାକୁ ସୁଧାରିବା ସହ ଅନ୍ୟ ୧୮ ଜଣଙ୍କୁ ନିଯୁକ୍ତି ଦେଇ ରୋଜଗାରକ୍ଷମ କରାଇପାରିଛନ୍ତି ।
ଘରୋଇ ଚାକିରି ଛାଡ଼ି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସଫଳ ଉଦ୍ୟୋଗୀ ଅନିତା ।