କନକ ବ୍ୟୁରୋ: ଖଣି ମାଫିଆଙ୍କ ଆଡ୍ଡା ସ୍ଥଳ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲା । ଲୁହାପଥର ମାଙ୍ଗାନିଜ୍ ହଉ ଅବା କୋଇଲା, ଖଣି ବେଆଇନ କାରବାରର ହବ୍ ପାଲଟିଛି ସୁନ୍ଦରଗଡ଼ । ତେଲେନଡିହି ବେଆଇନ୍ ଖଣିକୁ ନେଇ ତାତି ଥମିନଥିବାବେଳେ ଏନେ ବଣାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ୧୦ କିଲୋମିଟର ଦୂର ମୁଶାପୋଷ ଗାଁ ନିକଟରେ ବେଆଇନ୍ ପଥର ବ୍ଲାଷ୍ଟିଂ ନେଇ ଆସିଛି ଅଭିଯୋଗ ।
ବର୍ଷ ବର୍ଷ ଧରି ବେଧଡକ ଭାବେ ଜଙ୍ଗଲ ମଧ୍ୟରେ ପାହାଡକୁ ବ୍ଲାଷ୍ଟିଂ କରି ଓ ବଡ ବଡ ମେସିନ୍ ଲଗାଇ ୧୦୦ କୋଟିରୁ ଅଧିକ ଟଙ୍କାର ପଥର ଚୋରା ଚାଲାଣର ଦୃଶ୍ୟ ସାମ୍ନାକୁ ଆସିଛି । ସୂଚନା ମୁତାବକ , ୨୦୨୧ରେ ଜାତୀୟ ରାଜପଥ ନିର୍ମାଣରେ ପ୍ରଗତି ପାଇଁ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ୍ କମ୍ପାନୀକୁ ମୁଶାପୋଷକୁ ପଥର ଉତ୍ତୋଳନ ପାଇଁ ତିନି ମାସ ପାଇଁ ଟେଣ୍ଡର ଦିଆ ଯାଇଗଲା । ପରେ ମାସ ମାସ ବ୍ୟବଧାନ ଛାଡି ପୁଣି ଆବେଦନ ସହ ୨୦୨୩ ପର୍ଯ୍ୟନ୍ତ ଅଳ୍ପ କ୍ଷମତା ଓ ଏରିଆ ଖନନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ୨୦୨୩ ଶେଷରେ ସ୍ଥାନୀୟ ତହସିଲଦାର ରାଉରକେଲା ଖଣି ଉପନିର୍ଦ୍ଦେଶକ ନିକଟରେ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଥିଲେ । ସେବେଠାରୁ ମୁଶାପୋଷ ପଥର ଖଣି କାହାକୁ ବି ଟେଣ୍ଡର କରାଯାଇ ନାହିଁ କି ଖନନ ପାଇଁ ଅନୁମତି ଦିଆଯାଇନି । ହେଲେ ସେଠାରେ ମାଫିଆମାନଙ୍କ ରାଜୁତି ଚାଲୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଦିନରାତି ବ୍ଲାଷ୍ଟିଂ କରି ସମ୍ପୂର୍ଣ୍ଣ ପଥର ଖଣିକୁ ଖୋଳ କରାସରିଥିବା ଅଭିଯୋଗ ହୋଇଛି । ମେସିନ୍, ଜେନେରେଟର୍ ସହ ରାତି ତମାମ୍ ବେଧଡକ୍ ଭାବେ ଶହ ଶହ ହାଇୱା ଜରିଆରେ ପଥର ଖଣି ଚୋରାରେ ପରିବହନ ଚାଲିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ପ୍ରଶାସନ ସଠିକ୍ ଭାବେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।